ଦୁଇମହଲା କୋଠା ଘୁଂଚିବ ୫୦୦ ଫୁଟ୍‌

ଘର ନଭାଙ୍ଗି ଘୁଂଚାଅ..

ଅମୃତସର: ଆଧୁନିକ ବୈଷୟିକ ଜ୍ଞାନକୌଶଳ ଲୋକଙ୍କର ପ୍ରତିଟି ଆବଶ୍ୟକତା ପୂରଣ କରିପାରୁଛି । ଜଣେ ବ୍ୟକ୍ତି ତାଙ୍କର କଷ୍ଟଅର୍ଜିତ ଧନରେ ଠିଆ କରିଥିବା ଘରକୁ ୫୦୦ ଫୁଟ ଘୁଂଚାଇଛନ୍ତି । ପଞ୍ଜାବର ସଙ୍ଗରୁର ଜିଲ୍ଲାରରୋଶନୱାଲା ନିବାସୀ ସୁଖବିନ୍ଦ ସିଂହ ସୁକ୍‌ଖୀ ତାଙ୍କର ଦୁଇମହଲା ବିଶିଷ୍ଟ ବିଳାସମୟ ଘରକୁ ୫୦୦ ଫୁଟ ସ୍ଥାନାନ୍ତର କରିଛନ୍ତି । ଘର ଭାଙ୍ଗିବା ସହଜ; ମାତ୍ର ଘରଟିଏ ଠିଆ କରିବା କଷ୍ଟକର ବ୍ୟାପାର । କେବଳ ଟଙ୍କା ନୁହେଁ, ସମୟ ସାଙ୍ଗକୁ ଶାରୀରିକ ଓ ମାନସିକ କଷ୍ଟରୁ ବଂଚିବା ପାଇଁ ଘର ଘୁଂଚାଇବାର ନିଷ୍ପତି ନିଆଯାଇଛି ।

ଏ ସମ୍ପର୍କରେ ସୁକ୍‌ଖୀ କହିଚନ୍ତି, ୨୦୧୭ରେ ସେ ଘରଟିର ନିର୍ମାଣ କାମ ଆରମ୍ଭ କଲେ । ଘର ସାରିବାକୁ ଦୁଇବର୍ଷ ଲାଗିଛି । ଘରଟିକୁ ତିଆରି କରିବା ପାଇଁ ପ୍ରାୟ ଦେଢ଼କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେ ଘରେ ସେ ଓ ତାଙ୍କ ସାନଭାଇଙ୍କ ପରିବାର ରହୁଥିଲେ । ଘର ସାଙ୍ଗକୁ ସେହି ଜମିରେ ବିହନ ଉତ୍ପାଦନ ୟୁନିଟ୍‌ ଥିଲା । ମାତ୍ର ସରକାରଙ୍କ ପ୍ରସ୍ତାବିତ ପ୍ରକଳ୍ପ ବାଟରେ ଘରଟି ପଡ଼ିବାରୁ ସେମାନେ ଚିନ୍ତାରେ ପଡ଼ିଯାଇଛନ୍ତି । ନୂଆ ଘରଟିଏ ତିଆରି କରିବା ପାଇଁ ପୁଣି ଦୁଇବର୍ଷ ଲାଗିଯିବ । ଆଜିର ମହଙ୍ଗା ଦୁନିଆରେ ସେଭଳି ଘରଟିଏ ତିଆରି କରିବା ପାଇଁ ଦୁଇକୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ତେଣୁ ଘରଟିକୁ ସ୍ଥାନାନ୍ତର କଥା ବିଚାର କଲୁ ।

ସୁକ୍‌ଖୀ ପୁଣି କହନ୍ତି, ବିରାଟକାୟ କୋଠା ସ୍ଥାନାନ୍ତର କଥା କାନରେ ବାଜିଥିଲା । କିନ୍ତୁ ତାଙ୍କର ଜଣେ ସାଙ୍ଗଙ୍କ ଘର ସ୍ଥାନାନ୍ତର କରାଯାଉଥିବା ଶୁଣି ସେ ତୁରନ୍ତ ସଂପୃକ୍ତ ସଂସ୍ଥା ସହିତ ଯୋଗାଯୋଗ କଲେ । ଘରଟିକୁ ୫୦୦ ଫୁଟ୍‌ ଘୁଂଚାଇବା ପାଇଁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବାର ଶୁଣି ସୁକ୍‌ଖୀ ନୂଆଘର ପାଇଁ ଦୁଇକୋଟି ଟଙ୍କା ଖର୍ଚ୍ଚ ଓ ଦୁଇବର୍ଷ ସମୟ ନେବା ତୁଳନାରେ ୫୦ ଦିନ ଭିତରେ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଘରଟିକୁ ସ୍ଥାନାନ୍ତର କରିବା ଉଚିତ ହେବ ବୋଲି ବିଚାର କରିଚନ୍ତି । ଏବେ ଘରଟି ଦୈନିକ ୧୦ ଫୁଟ ଘୁଂଚିବା ଆରମ୍ଭ କରିଚି । ଅତଏବ ୫୦୦ ଫୁଟ ପାଇଁ ଅତି କମ୍‌ରେ ୫୦ ଦିନ ଲାଗିଯିବ ।