ସରସ୍ୱତୀ ନଦୀତଟରେ ପ୍ରାଚୀନ ସଭ୍ୟତା ଠାବ

୧୭୦୦ ବର୍ଷ ତଳର ଏକ ନରକଙ୍କାଳ ଆବିଷ୍କାର କରାଯାଇଛି । ତା’ ପୁଣି ରାଜସ୍ଥାନର ଏକ ଗ୍ରାମରୁ । ଆଜି ଯୋଉଠି ଆପଣମାନେ ଗାଁ ଗଣ୍ଡା ଦେଖୁଛନ୍ତି । ସେଇ ଅଂଚଳ ଯେ ଦିନେ ଏକ ନଗରୀ ଥିଲା! ଏ କଥା ଶୁଣିଲେ ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ । ଭାରତର ପ୍ରାଚୀନ ସଭ୍ୟତାକୁ ଉଦ୍ଧାର କରୁଥିବା ସଂସ୍ଥା ‘ଏଏସ୍ଆଇ’ ରାଜସ୍ଥାନର ଦୀଗ ଜିଲ୍ଲା ଅନ୍ତର୍ଗତ ବାହାଜ ଗ୍ରାମକୁ ଖନ୍ଦାଳିବାରୁ ଏକ ପୁରାତନ ନଗରୀର ଧ୍ୱଂସାବଶେଷ ଠାବ କରିଛି ।

ଗୋଟିଏ ସଭ୍ୟତା ନୁହେଁ, ପ୍ରାୟ ୫ଟି ପ୍ରାଚୀନ ସଭ୍ୟତାର ବିବରଣୀ ଜାଣିବାକୁ ପାଇଛି । ସେ ସମୟର ଅସ୍ତ୍ରଶସ୍ତ୍ର, ପ୍ରତିମା, ବାସନକୁସନ ସମେତ ଆହୁରି ବହୁତ କିଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉଦ୍ଧାର କରିଛି । ସେ ସମୟରେ ଗଢ଼ି ଉଠିଥିବା ଘରଗୁଡ଼ିକ ମାଟିରେ ତିଆରି ହୋଇଥିଲେ ମଧ୍ୟ ହଜାର ହଜାର ବର୍ଷ ଧରି ମାଟିତଳେ ଅକ୍ଷୁର୍ଣ୍ଣ ଅବସ୍ଥାରେ ଦେଖିବାକୁ ମିଳୁଛି । ମାଟିର ଖମ୍ବଗୁଡ଼ିକୁ ପରୀକ୍ଷା କରିବାରୁ ତାହା ମହାଭାରତ ଯୁଗକୁ ସଂକେତ କରୁଛି ।

ତା’ ସହିତ ମୌର୍ଯ୍ୟ ରାଜୁତି, ସୁଙ୍ଗା ରାଜୁତି ସମୟର ସଂସ୍କୃତି ଓ ଜନଜୀବନ ସମ୍ବଳିତ ତଥ୍ୟ ସାମ୍ନାକୁ ଆସୁଛି ବୋଲି ରାଜସ୍ଥାନରେ ଅବସ୍ଥାପିତ ଏଏସ୍ଆଇ ଅଧିକାରୀ ବିନୟ ଗୁପ୍ତା କହିଛନ୍ତି ।