ୟେ ସେହି ନଗଡ଼ା, ଯୋଉ ନଗଡ଼ାକୁ ଆନ୍ତର୍ଜାତିକ ସ୍ତରରେ ଲୋକପ୍ରିୟ କରିଥିଲେ ଦାନ ମାଝି । ପତ୍ନୀଙ୍କ ମୃତଦେହକୁ କାନ୍ଧରେ ବୁହାଇ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲେ ଦାନ ମାଝି । ବିଜେଡି ମୁଖିଆ ନବୀନ ପଟ୍ଟନାୟକ ୨୪ ବର୍ଷ କାଳ ମୁଖ୍ୟମନ୍ତ୍ରୀ ରହିବା ଭିତରେ ନଗଡ଼ାର ଅଭାବ ଅସୁବିଧା ଦୂର କରିପାରିଲେନି । ଖାସ୍ ସେହି କାରଣରୁ ପତ୍ନୀଙ୍କ ମୃତଦେହକୁ କାନ୍ଧରେ ବୋହି ନବୀନ ସରକାରଙ୍କ ମନମୁଖି ଶାସନର ଦୋଷ ଦୁର୍ବଳତାକୁ ପଦାରେ ପକାଇ ଦେଲେ ଦାନ ମାଝି ।
ନବୀନ ପଟ୍ଟନାୟକଙ୍କ ଆଖିରୁ ବିକଶିତ ଓଡ଼ିଶାର ଅନ୍ଧ ପୁଟୁଳି ଖୋଲି ଦେଇଥିଲେ ଦାନ ମାଝି । ତଥାପି ନବୀନ ପଟ୍ଟନାୟକ ଭିକେ ପାଣ୍ଡିୟାନଙ୍କ ଚଷମା ଫାଙ୍କ ଦେଇ ଅଭାବୀ ମଣିଷଙ୍କ ଶୁଖିଲା ମୁହଁକୁ ଦେଖି ପାରିଲେନି । ଓଡ଼ିଶାର ଭବିଷ୍ୟତ ଯେ ଅପପୁଷ୍ଟିର ଶିକାର ହୋଇ କଙ୍କାଳସାର ଜୀବନ ବିତାଉଛନ୍ତି । ତାହା ନବୀନ ପଟ୍ଟନାୟକଙ୍କୁ ଦିଶିଲାନି ।
ବଡ଼ ଦୁଃଖର ବିଷୟ । ଖଣିଖାଦାନ ଭରା ଯାଜପୁର ଜିଲ୍ଲାର ନଗଡ଼ା ଅଂଚଳର ଦୁଃଖଦୁର୍ଦ୍ଦଶା ଏ ଯାଏ ଦୂର ହୋଇ ପାରିଲାନି । ବିଜେଡି ସରକାର ଚାଲିଗଲା । ବିଜେପି ସରକାର ଗଠନ ହେଲା ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଦଳବଳ ଧରି ନଗଡ଼ା ବୁଲିଥିଲେ । ନଗଡ଼ା ଆଖିରୁ ଲୁହ ପୋଛିବା ପାଇଁ ବହୁ ତତ୍ପରତା ପ୍ରକାଶ କରିଥିଲେ । ବିଜେପି ସରକାରକୁ ଗୋଟିଏ ବର୍ଷ ବିତିଗଲା । ନଗଡ଼ାର ଚିତ୍ର ବଦଳିଲାନି । ଏବେ ମଧ୍ୟ ରୋଗୀଙ୍କୁ ଭାର ଓ ଖଟିଆରେ ବୁହା ଯାଉଛି ।
ସୂଚନା ମୁତାବକ ତୁମୁଣି ଅଂଚଳକୁ ଗମନା ଗମନ ସୁବିଧା ନାହିଁ । ସେଠାରେ ବସବାସ କରୁଥିବା ପରିବାର ପାଇଁ ଆବାସ ନାହିଁ । ବିଜୁଳି ନାହିଁ । ପାନୀୟ ଜଳ ନାହିଁ । ଗୁହିଆଶାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ଥାୟୀ ଶ୍ରେଣୀକକ୍ଷ ନାହିଁ । ନଗଡ଼ା ଅଂଚଳର ଯୁବକ ଯୁବତୀଙ୍କୁ ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ରକୁ ବୁଲାଇ ନିଆଗଲା, ମାତ୍ର କାହାକୁ ସେଠାରେ ନାମ ଲେଖାଇବାର ସୁବିଧା ଦିଆଗଲାନି । ନଗଡ଼ାରେ ବାଲ୍ୟ ବିବାହ ପ୍ରଥାକୁ ହଟାଇ ପାରୁନି ପ୍ରଶାସନ ।
ନଗଡ଼ାର ଯୁବକ ଯୁବତୀ ଦାଦନରେ ଖଟିବାକୁ ଯାଉଛନ୍ତି । ନଗଡ଼ାର ଅପପୁଷ୍ଟି ହାର ଏବେ ମଧ୍ୟ ଉଦବେଗଜନକ । ଅତିଶୟ ପୁଷ୍ଟିହୀନ ତାଲିକାରେ ଦୁଇଜଣ ଶିଶୁ, ମଧ୍ୟମ ଧରଣର ପୁଷ୍ଟିହୀନ ତାଲିକାରେ ୬ ଜଣ ଶିଶୁ, ଅତିଶୟ କମ୍ ଓଜନ ତାଲିକାରେ ୯ ଜଣ ଶିଶୁ ଓ ମଧ୍ୟମ ଧରଣର କମ୍ ଓଜନ ତାଲିକାରେ ୧୬ ଜଣ ଶିଶୁ ଅଛନ୍ତି । ତଳନଗଡ଼ାରେ ୩୩ ଜଣ ଦୁର୍ବଳ ଶିଶୁ ଅଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କିଛି ଦେଖି ପାରୁଛନ୍ତି ନା ନାହିଁ । ଖାଲି କେନ୍ଦୁଝରକୁ ଦୃଷ୍ଟି ଦେଲେ ଚଳିବନି ।