ଟିକାକରଣ କାର୍ଯ୍ୟକ୍ରମ ଉଦଘାଟନ କରିବା ମାତ୍ରେ ଫୁଟିବ ବାଣ!

ନୂଆଦିଲ୍ଲୀ(ଏସ୍ ନ୍ୟୁଜ): ଆସନ୍ତାକାଲି କରୋନା ଭାଇରସକୁ ମାତ୍‌ ଦେବା ପାଇଁ ସମଗ୍ର ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଟିକାକରଣ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଧିବଦ୍ଧ ଭାବେ ସକାଳ ୧୦.୩୦ରେ ଉଦଘାଟନ କରିବେ। ପ୍ରଥମ ଦିନରେ ଦେଶର ୩୦୦୬ଟି ଟିକାକରଣ କେନ୍ଦ୍ରରେ ପ୍ରାୟ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ଏହାପରେ ସବୁ ଟିକାକରଣ କେନ୍ଦ୍ରରେ ପଞ୍ଜିକୃତ ଲୋକଙ୍କୁ ଟିକା ଦିଆଯିବ। ଏଥିପାଇଁ ଆଜି ଠାରୁ ସମୟ ଗଣନା ଆରମ୍ଭ ହୋଇଯାଇଛି।

ତେବେ ମୋଦି କରୋନା ପାଇଁ ଟିକାକରଣ କାର୍ଯ୍ୟକ୍ରମ ଉଦଘାଟନ କରିବା କ୍ଷଣି ମହାରାଷ୍ଟ୍ରରେ ବାଣ ଫୁଟାଇ ଏହାକୁ ସ୍ୱାଗତ କରାଯିବ ବୋଲି ବିଜେପି ନେତା ରାମ କଦମ କହିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଦେଶରେ କରୋନା ଟିକାର ଉଦଘାଟନ କରିବେ। ଏହି ଖୁସି ଓ ସ୍ୱତନ୍ତ୍ର ମୁହୂର୍ତ୍ତକୁ ଆମେ ବାଣ ଫୁଟାଇ ସ୍ୱାଗତ କରିବୁ। ଆମେ କରୋନା ଟିକାକୁ ଆଶାର ଦୀପ ଦ୍ୱାରା ସ୍ୱାଗତ କରିବୁ ବୋଲି ସେ କହିଛନ୍ତି।