ବିଜେପି ଶାସିତ ୟୁପି ଡାକ୍ତରଖାନାରେ ଗରିବଙ୍କୁ ହିନସ୍ତା

ଡାକ୍ତରଖାନା ଗେଟ୍‌ ପାଖରେ ସନ୍ତାନ ପ୍ରସବ କଲେ ମହିଳା

ଲକ୍ଷେ୍ନø: ବିଜେପି ଶାସନରେ ଗରିବ ମହିଳାଙ୍କୁ ସରକାରୀ ଡାକ୍ତରଖାନାରେ ବଡ଼ ହିନସ୍ତା ଭୋଗିବାକୁ ପଡୁଛି । ବିଜେପି ଶାସିତ ୟୁପିର ବଦାଉଁ ଅଂଚଳରେ ଥିବା ଗୋଟିଏ ସରକାରୀ ହସ୍ପିଟାଲରେ ଜଣେ ଗରିବ ପ୍ରସୂତିଙ୍କ ନିକଟରେ ଟଙ୍କା ନଥିବାରୁ ଡାକ୍ତରଖାନା କର୍ମଚାରୀମାନେ ତାଙ୍କୁ ଦୁରଦୁର କରି ତଡ଼ିଦେଲେ ।

ଅନ୍ୟ ଉପାୟ ନପାଇ ବିଚାରୀ ମହିଳାଜଣକ ହସ୍ପିଟାଲ ଗେଟ୍‌ ନିକଟରେ ପିଲାଟିକୁ ଜନ୍ମ ଦେଇଥିଲେ । ଜନ୍ମ ପରେପରେ ପିଲାଟି ମରି ଯାଇଥିଲା । ଘଟଣାଟି ପ୍ରଘଟ ହୋଇଯିବା ପରେ ବଦାଉଁ ଜିଲ୍ଲା ମାଜିଷ୍ଟ୍ରେଟ୍‌ ମନୋଜ କୁମାର ସଂପୃକ୍ତ ମାମଲାର ତଦନ୍ତ ଆଦେଶ ପ୍ରଦାନ କରିଛନ୍ତି ।

ସୂଚନା ମୁତାବକ, କାବୁଲପୁରା ନିବାସୀ ନୀଲମ ଗର୍ଭବେଦନା ଅନୁଭବ କରିବା ପରେ ମହିଳା ଡାକ୍ତରଖାନାକୁ ଯାଇଥିଲେ । ନୀଲମଙ୍କ ସ୍ୱାମୀ ରବିଙ୍କ କହିବା ମୁତାବକ ଡାକ୍ତରଖାନାରେ ଡାକ୍ତର ନଥିଲେ । ନର୍ସ ଓ ଅନ୍ୟାନ୍ୟ କର୍ମଚାରୀମାନେ ନୀଲମଙ୍କୁ ଡାକ୍ତରଖାନାରେ ରହିବାକୁ ଅନୁମତି ଦେଲେନି । ରିପୋର୍ଟ ପାଇବା ପରେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମାଜିଷ୍ଟ୍ରେଟ୍‌ ।