ପରିତ୍ୟକ୍ତ ନଳକୂପରୁ ଉଦ୍ଧାର ନବଜାତର ଏକୋଇଶିଆ ପାଳନ କଲା ଡାକ୍ତରଖାନା

ସମ୍ବଲପୁର: ଡିସେମ୍ବର ୧୩ ତାରିଖ ଦିନ ସମ୍ବଲପୁର ଜିଲ୍ଲାରେ ଏକ ପରିତ୍ୟକ୍ତ ନଳକୂପରୁ ଉଦ୍ଧାର ନବଜାତ କନ୍ୟାର ଏକୋଇଶିଆ ପାଳନ କରିଛି ବୁର୍ଲା ମେଡିକାଲ । ନବଜାତକର ନାମ ରଖାଯାଇଛି ବିଜୟିନୀ । ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ନିକଟ ଲାରିପାଲ୍ଲି ଜଙ୍ଗଲକୁ ଲାଗି ରହିଥିବା ଏକ ପରିତ୍ୟକ୍ତ ନଳକୂପରୁ ଶିଶୁକନ୍ୟାଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯିବା ପରେ ବୁର୍ଲା ମେଡିକାଲ କଲେଜକୁ ନିଆଯାଇଥିଲା । ପିଲାଟି ଏବେ ସୁଦ୍ଧା ସଂପୂର୍ଣ୍ଣ ବିପଦମୁକ୍ତ ହୋଇନାହିଁ । ଧିରେ ଧିରେ ତା’ ସ୍ୱାସ୍ଥ୍ୟ ଭଲଆଡ଼କୁ ଗତି କରୁଛି । ଡିସେମ୍ବର ୧୨ ତାରିଖ ଦିନ ପିଲାଟିକୁ ନଳକୂପ ଭିତରେ ଠାବ କରାଯିବା ପରେ ଘଟଣାଟି ସ୍ଥାନୀୟ ବାସିନ୍ଦା ଓ ଜିଲ୍ଲା ପ୍ରଶାସନ ପାଇଁ ଏକ ଚାଲେଞ୍ଜ ଥିଲା ।

ଉଦ୍ଧାରକାରୀ ଦଳ ପ୍ରଥମେ ପିଲାଟିକୁ ନଳକୂପ ଭିତରେ କେତେ ଦୂରରେ କୋଉ ଅବସ୍ଥାରେ ଅଛି; ତାହା ଜାଣିବାକୁ ଚେଷ୍ଟା କରିଥିଲା । ଏକ ଜେସିବି ଲଗାଇ ନଳକୂପ ନିକଟ ଖୋଳା ଯାଇଥିଲା ।

ପିଲାଟିକୁ ଉଦ୍ଧାର କରାଯିବା ପରେ କାଳବିଳମ୍ବ ନକରି ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା । ପ୍ରାୟ ୧୦ ଜଣ ଡାକ୍ତର ପିଲାଟିକୁ ବଂଚାଇବା ପାଇଁ ଉଦ୍ୟମ କରିଥିଲେ । ୬ ଦିନ ଧରି ଆଇସିୟୁରେ ରହିବା ପରେ ପିଲାଟି ଧିରେ ଧିରେ ସୁସ୍ଥ ହୋଇଥିଲା । ପିଲାଟିର ବାପା ମା’ ସଂପର୍କରେ କୌଣସି ଖବର ପ୍ରଶାସନ ପାଖରେ ନାହିଁ ।

ବିଜୟିନୀର ଏକୋଇଶିଆ ପାଳନ ଅବସରରେ ଡାକ୍ତରଖାନାର ଶିଶୁୱାର୍ଡଟିକୁ ଫୁଲମାଳ ଓ ବେଲୁନରେ ସଜାଇ ଦିଆଯାଇଛି ।