ଆଖୁ ଚାଷୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଆଖୁର ଉଚିତ୍ ଏବଂ ଲାଭକାରୀ ମୂଲ୍ୟ(ଏଫଆରପି)କୁ ମଞ୍ଜୁର କରିଛନ୍ତି । ଆଖୁ ଋତୁ ୨୦୨୫-୨୬ (ଅକ୍ଟୋବର-ସେପ୍ଟେମ୍ବର) ନିମନ୍ତେ କ୍ୱିଣ୍ଟାଲ ପିଛା ୩୫୫ ଟଙ୍କାର ଏଫଆରପି ଧାର୍ଯ୍ୟ କରାଯାଉଛି । ଏଥିରେ ୧୦.୨୫%ରୁ ଅଧିକ ପ୍ରତ୍ୟେକ ୦.୧% ବୃଦ୍ଧି ନିମନ୍ତେ କ୍ୱିଣ୍ଟାଲ ପିଛା ୩.୪୬ ଟଙ୍କାର ପ୍ରିମିୟମ ଦିଆଯିବ । ଅନ୍ୟପକ୍ଷରେ ଲାଭ ପ୍ରାପ୍ତିରେ ପ୍ରତ୍ୟେକ ୦.୧%ର ହ୍ରାସ ପାଇଁ ଏଫଆରପିରେ କ୍ୱିଣ୍ଟାଲ ପିଛା ୩.୪୬ ଟଙ୍କା ହ୍ରାସ କରାଯିବ ।
ତେବେ, ଆଖୁ ଚାଷୀମାନଙ୍କ ସ୍ୱାର୍ଥର ସୁରକ୍ଷା ଉଦ୍ଦେଶ୍ୟରେ ସରକାର ଏହା ମଧ୍ୟ ନିଷ୍ପତ୍ତି ନେଇଛନ୍ତି ଯେ ଯେଉଁ ଚିନି କାରଖାନାଗୁଡ଼ିକରେ ପୁନରୁଦ୍ଧାର ୯.୫ ପ୍ରତିଶତରୁ କମ୍, ସେ କ୍ଷେତ୍ରରେ କୌଣସି ଛାଡ଼ କରାଯିବ ନାହିଁ । ଏଭଳି କୃଷକମାନେ ଆଗାମୀ ଚିନି ଋତୁରେ (୨୦୨୫-୨୬) ଆଖୁ ପାଇଁ କ୍ୱିଣ୍ଟାଲ ପିଛା ୩୨୯.୦୫ ଟଙ୍କା ପାଇବେ ।
ଚିନି ଋତୁ ୨୦୨୫-୨୬ ପାଇଁ ଆଖୁ ଉତ୍ପାଦନ ମୂଲ୍ୟ (ଏଟୁ + ଏଫଏଲ) ହେଉଛି କ୍ୱିଣ୍ଟାଲ ପିଛା ୧୭୩ଟଙ୍କା। ୧୦.୨୫% ପୁନରୁଦ୍ଧାର ହାରରେ କ୍ୱିଣ୍ଟାଲ ପିଛା ୩୫୫ଟଙ୍କାର ଏହି ଏଫଆରପି ଉତ୍ପାଦନ ଖର୍ଚ୍ଚ ତୁଳନାରେ ୧୦୫.୨% ଅଧିକ। ଚିନି ଋତୁ ୨୦୨୫-୨୬ ପାଇଁ ଏଫଆରପି ବର୍ତ୍ତମାନର ଚିନି ଋତୁ ୨୦୨୪-୨୫ ଠାରୁ ୪.୪୧% ଅଧିକ।
ଚିନି ଋତୁ ୨୦୨୫-୨୬ ରେ କୃଷକମାନଙ୍କ ଠାରୁ ଆଖୁ କ୍ରୟ ପାଇଁ ଅନୁମୋଦିତ ଏଫଆରପି (୧ ଅକ୍ଟୋବର, ୨୦୨୫ ଠାରୁ) ଚିନି କାରଖାନାଗୁଡ଼ିକ ଦ୍ୱାରା ଲାଗୁ କରାଯିବ । ଚିନି କ୍ଷେତ୍ର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ କୃଷି ଭିତ୍ତିକ କ୍ଷେତ୍ର ଯାହା କୃଷି ଶ୍ରମିକ ଏବଂ ପରିବହନ ସମେତ ବିଭିନ୍ନ ଆନୁସଙ୍ଗିକ କାର୍ଯ୍ୟକଳାପରେ ନିୟୋଜିତ ବ୍ୟକ୍ତିଙ୍କ ବ୍ୟତୀତ ପ୍ରାୟ ୫ କୋଟି ଆଖୁ ଚାଷୀ ଏବଂ ସେମାନଙ୍କ ଉପରେ ନିର୍ଭରଶୀଳ ଏବଂ ଚିନି କାରଖାନାରେ ସିଧାସଳଖ ନିଯୁକ୍ତ ପ୍ରାୟ ୫ ଲକ୍ଷ ଶ୍ରମିକଙ୍କ ଜୀବିକା ଉପରେ ପ୍ରଭାବ ପକାଇଥାଏ ।
ସୂଚନାଯୋଗ୍ୟ, କୃଷି ବ୍ୟୟ ଏବଂ ମୂଲ୍ୟ ଆୟୋଗ (ସିଏସିପି) ର ସୁପାରିସ ଆଧାରରେ ଏବଂ ରାଜ୍ୟ ସରକାର ତଥା ଅନ୍ୟ ଅଂଶୀଦାରମାନଙ୍କ ସହିତ ପରାମର୍ଶ ପରେ ଏଫଆରପି ନିର୍ଦ୍ଧାରଣ କରାଯାଇଛି ।
୨୮ ଏପ୍ରିଲ ୨୦୨୫ ସୁଦ୍ଧା ୨୦୨୩-୨୪ ଚିନି ଋତୁରେ ଆଖୁ ଚାଷୀଙ୍କ ବକେୟା ପାଉଣା ୧,୧୧,୭୮୨ କୋଟି ଟଙ୍କା ମଧ୍ୟରୁ ୧,୧୧,୭୦୩ ଟଙ୍କା ପଇଠ କରାଯାଇସାରିଛି । ଅର୍ଥାତ୍ ୯୯.୯୨% ପାଉଣା ଦିଆଯାଇସାରିଛି । ସେହିପରି ଚଳିତ ଆଖୁ ଋତୁ ୨୦୨୪-୨୫ରେ ବକେୟା ପାଉଣା ୯୭,୨୭୦ କୋଟି ଟଙ୍କା ମଧ୍ୟରୁ ପ୍ରାୟ ୮୫,୦୯୪ କୋଟି ଟଙ୍କା ଅର୍ଥାତ୍ ୮୭% ପାଉଣା ପୈଠ କରାଯାଇସାରିଛି ।