ଭୁବନେଶ୍ୱର: ଭାରତର ବିବିଧତା ହେଉଛି ଏହାର ଶକ୍ତିର ଉତ୍ସ। ଗୋଟିଏ ରାଜ୍ୟରେ ଅନ୍ୟ ରାଜ୍ୟର ପର୍ବ ପାଳନ ଜାତୀୟ ଏକତାକୁ ମଜଭୁତ କରେ। ଭାରତର ବିବିଧତାର ପ୍ରକୃତ ସ୍ୱରୂପ ପ୍ରତିଫଳିତ ହୁଏ ବୋଲି ମଙ୍ଗଳବାର ଦିନ ଲୋକଭବନର ନ୍ୟୁ ଅଭିଷେକ ହଲ୍ରେ ହିମାଚଳ ପ୍ରଦେଶ ଗଠନ ଦିବସ ଏବଂ ଓଡ଼ିଆ ନବବର୍ଷ (ପଣା ସଂକ୍ରାନ୍ତି) ସହିତ ବିହୁ (ଆସାମ), ବିଶୁ (କେରଳ), ପୁଥଣ୍ଡୁ (ତାମିଳନାଡ଼ୁ), ପୋଇଲା ବୈଶାଖ (ପଶ୍ଚିମବଙ୍ଗ) ଏବଂ ବୈଶାଖୀ (ପଞ୍ଜାବ) ପାଳନ ଅବସରରେ ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଏହା କହିଛନ୍ତି। ଓଡ଼ିଶା, ହିମାଚଳ ପ୍ରଦେଶ, ଆସାମ, କେରଳ, ତାମିଳନାଡ଼ୁ, ପଶ୍ଚିମବଙ୍ଗ ଏବଂ ପଞ୍ଜାବର ଜନସାଧାରଣଙ୍କୁ ସେମାନଙ୍କ ଆଂଚଳିକ ପର୍ବ-ପର୍ବାଣି ପାଳନ ଅବସରରେ ରାଜ୍ୟପାଳ ଶୁଭେଚ୍ଛା ଜଣାଇଥିଲେ। ଏହି ସମାରୋହରେ ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଜୟଶ୍ରୀ କମ୍ଭମପାଟି ମଧ୍ୟ ଉପସ୍ଥିତ ଥିଲେ।
ଅବସରପ୍ରାପ୍ତ ପ୍ରଶାସକ ତଥା ପ୍ରସିଦ୍ଧ ସାହିତ୍ୟିକ ଓ ଗୀତିକାର ଦେବଦାସ ଛୋଟରାୟ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଡ ରୂପାରୋଶନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମର ଆରମ୍ଭରେ ରାଜ୍ୟପାଳ ଓ ରାଜ୍ୟର ପ୍ରଥମ ମହିଳା ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ଼ ବି. ଆର୍. ଆମ୍ବେଦକରଙ୍କ ୧୩୬ତମ ଜୟନ୍ତୀ ଅବସରରେ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।