ଧୁଆମୁଗ ନୁହନ୍ତି ସିବିଆଇ ଓ ଇଡିି

ମୋଦୀଜୀଙ୍କୁ ଉଚିତ ଜମାବ ଦେବା ପାଇଁ ମମତା….

ନୂଆଦିଲ୍ଲୀ: ସବୁ ମଣିଷଙ୍କ ଭିତରେ ମିଛମାୟା, ଲୋଭ, ହିଂସା, ପରଶ୍ରୀକାତରତା ପ୍ରଭୃତି ୩୬ଟି ପ୍ରକୃତି ରହିଛି । ପୁଲିସ, ସିବିଆଇ ଓ ଇଡି ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଗଣ ଧୁଆମୁଗ ନୁହନ୍ତି । ସେମାନଙ୍କ ନିକଟରେ ବେଆଇନ ଭାବେ ଧନ ଅର୍ଜନ କରିବାର ଗୁଣ ରହିଛି କି’ ନା ତା’ର ନିରପେକ୍ଷ ତଦନ୍ତ ଜରୁରୀ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତବ୍ୟରୁ ଜଣାପଡ଼ିଛି । ମମତାଙ୍କ ମତରେ ‘ତୁ ମୁତୁରୀ, ମୁଁ ମୁତୁରୀ; ସିବିଆଇ ଯାଂଚ କ’ଣ ପାଇଁ?

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ସରକାରକୁ ଅପଦସ୍ତ କରିବା ପାଇଁ ମୋଦୀଜୀଙ୍କ ସରକାର ସିବିଆଇ ଓ ଇଡି ଛାଟ ବ୍ୟବହାର କରୁଛନ୍ତି । ଏବେ ମୋଦୀଜୀଙ୍କୁ ଉଚିତ ଜମାବ ଦେବା ପାଇଁ ମମତା ବାନାର୍ଜୀ ସିବିଆଇ ଓ ଇଡି କର୍ମଚାରୀଙ୍କୁ ଅସୁବିଧାରେ ପକାଇବା ପାଇଁ ଅଂଟା ଭିଡିଛନ୍ତି ।

ସୋମବାର ମମତା କହିଛନ୍ତି, ପଶ୍ଚିମବଙ୍ଗର ଶାସକ ବିଧାୟକ ଓ ନେତାମାନଙ୍କ ଉପରେ ସିବିଆଇ ଓ ଇଡି କର୍ମଚାରୀଙ୍କୁ ବ୍ୟବହାର କରାଯାଉଛି । ତା’ର ପରିଣାମ ସ୍ୱରୂପ ପଶ୍ଚିମବଙ୍ଗସ୍ଥିତ ସିବିଆଇ ଓ ଇଡି କାର୍ଯ୍ୟାଳୟର ପ୍ରତି କର୍ମଚାରୀଙ୍କ ଉପରେ ପଶ୍ଚିମବଙ୍ଗ ଅପରାଧିକ ଶାଖା ଓ ପୁଲିସ କର୍ମଚାରୀମାନେ ତୀକ୍ଷ୍‌ଣ ନଜର ରଖିବେ । ଆବଶ୍ୟକ ମନେକଲେ, ସିବିଆଇ ଓ ଇଡି କର୍ମଚାରୀଙ୍କୁ ସାଧାରଣ ଲୋକଙ୍କ ଭଳି ଥାନାକୁ ନେଇ ଜେରା କରିବେ ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ କାର୍ଯ୍ୟରତ କିଛି ସିବିଆଇ ଓ ଇଡି କର୍ମଚାରୀଙ୍କ ବିରୋଧରେ ଏକାଧିକ ମାମଲା ରହିଛି । ରାଜ୍ୟ ସରକାରଙ୍କ ଗୃହ ବିଭାଗ ସେହି ମାମଲାଗୁଡ଼ିକର ତର୍ଜମା କରି ଆଗାମୀ ଦିନରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ।