ତୁଚ୍ଛାକୁ ‘ମେକ୍‌ ଇନ୍‌ ଓଡ଼ିଶା’, ଘାସ ମୁଠାଏ ମିଳୁନି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଂହାସନ ଆରୋହଣ କରିବା ପରେ …

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଂହାସନ ଆରୋହଣ କରିବା ପରେ ‘ମେକ୍‌ ଇନ୍‌ ଇଣ୍ଡିଆ’ ଡାକରା ଦେଇଥିଲେ । ତାଙ୍କୁ ଅନୁସରଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମେକ୍‌ ଇନ୍‌ ଓଡିଶା’ ଡାକରା ଦେଲେ । ବେଶ କିଛି ବର୍ଷ ପାଇଁ ‘ମେକ୍‌ ଇନ୍‌ ଇଣ୍ଡିଆ’କୁ ଜାବୁଡ଼ି ଧରିବା ପରେ ପ୍ରଧାନମନ୍ତ୍ରୀ ମୋଦୀଜୀ ପୁଣି ପୁରୁଣା ଶବ୍ଦ ‘ମେଡ୍‌ ଇନ୍‌ ଇଣ୍ଡିଆ’କୁ ଫେରିଆସିଲେ । ମାତ୍ର ନବୀନବାବୁ ସେଇ ‘ମେକ୍‌ ଇନ୍‌ ଇଣ୍ଡିଆ’ ପାଖରେ ଅଟକି ରହିଛନ୍ତି । ଏଇଠି ଆମ ମନରେ ଟିକେ ସନ୍ଦେହ ଉପୁଜିଛି । ବୋଧହୁଏ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ’ ଉଦ୍ଦେଶ୍ୟ ସଫଳ ହୋଇଗଲା । ତେଣୁ ସେ ‘ମେଡ୍‌ ଇନ୍‌ ଇଣ୍ଡିଆ’ ପାଖକୁ ଫେରିଗଲେ । ମାତ୍ର ନବୀନବାବୁଙ୍କ ‘ମେକ୍‌ ଇନ୍‌ ଓଡିଶା’ ଏବେ ମଧ୍ୟ ଅଧୁରା ହୋଇ ରହିଯାଇଛି ।
ରାଜ୍ୟ ସରକାର ଗାଇ ବୁଲୁଛନ୍ତି ଯେ ୨୦୧୭ ପରଠାରୁ ବହୁ ବିଦେଶୀ ନିବେଶକ ଓଡ଼ିଶା ମୁହାଁ ହେଉଛନ୍ତି । ଓଡ଼ିଶା ମୁହାଁ ହେବା ଓ ଓଡ଼ିଶାରେ ବସିବା ଭିତରେ ଆକାଶ ପାତାଳ ଫରକ ଅଛି ।
ଆମ ମୂର୍ଖ ମୁଣ୍ଡରେ କେତୋଟି ପ୍ରଶ୍ନ ଆସୁଛି? ଏତେ ନିବେଶକ ଓଡ଼ିଶାକୁ ଆସି ବସିଲେଣି ଅଥଚ ରାଜ୍ୟର ବେକାର ଯୁବକ ଯୁବତୀଙ୍କ ସଂଖ୍ୟା ୫୦ ଲକ୍ଷ ଟପିଲାଣି । ବହୁ ବିଦେଶୀ ନିବେଶକ ଓଡ଼ିଶା ପ୍ରତି ଆକର୍ଷିତ ହେଉଥିଲା ବେଳେ ଦେଶୀ ନିବେଶକମାନେ ଓଡ଼ିଶା ଉପରେ ଟିକେ ନଜର ପକାଉ ନଥିବାର କାରଣ କ’ଣ? ଦେଶର କୋଉ ରାଜ୍ୟରେ କେବେ କି ପ୍ରକାର ଶିଳ୍ପନୀତି ପ୍ରଣୀତ ହୋଇଛି ଓ ସେସବୁ ଶିଳ୍ପନୀତିରୁ ରିଲାଏନ୍ସ କମ୍ପାନୀକୁ କେତେ ଲାଭ ମିଳିବ, ତା’ର ପ୍ରତିଟି ଖବର ଭାରତର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ନଜରରୁ ହଟେନି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋଭନୀୟ ଅଫରକୁ ମୁକେଶ ଅମ୍ବାନୀ ଅଣଦେଖା କରୁଛନ୍ତି କ’ଣ ପାଇଁ? ରିଲାଏନ୍ସ ସହ ରାଜ୍ୟ ସରକାରଙ୍କର ସମ୍ପର୍କ ଭଲ ନାହିଁ କି?

ଏମିତି ଏକ ‘ଓଡ଼ିଶା ଏନ୍‌କ୍ଲେଭ’କୁ ମୁକେଶ ଅମ୍ବାନୀ ଆସିଥିଲେ । ରାଜ୍ୟ ସରକାରଙ୍କୁ ଗୁଡ଼ାଏ ପ୍ରଶ୍ନ ପଚାରି ପରିବେଶକୁ ଏମିତି ଗରମ କରିଥିଲେ; ସତେ ଯେପରି ଗୋଟାପଣେ ଓଡ଼ିଶାଟାକୁ ପୋଷ୍ୟପୁଅ କରିଦେବେ । ଆମ ଜାଣତରେ ସେଇ ଏନ୍‌କ୍ଲେଭ ପରଠାରୁ ମୁକେଶ ଆଉ ଓଡ଼ିଶା ଉପରେ ନଜର ପକାଇନାହାନ୍ତି । ଗତ ଜୁନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋମ ଓ ଦୁବାଇ ଗସ୍ତରେ ଯାଇଥିଲେ । ଦୁବାଇରେ ‘ମେକ୍‌ ଇନ୍‌ ଓଡ଼ିଶା’ ଆୟୋଜନ କରି କିଛି ବିଦେଶୀ ନିବେଶକଙ୍କ ସହ ଆଲୋଚନା କରିଥିଲେ । ତା’ର ସଫଳତା ସମ୍ପର୍କରେ ଦୈନିକ ସମ୍ବାଦପତ୍ର ‘ସକାଳ’ ବେଶ ଓଗାଳିଥିଲା ।
ଏବେ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ତୃତୀୟ ‘ମେକ୍‌ ଇନ୍‌ ଓଡିଶା’ ଆୟୋଜନ ଚାଲିଛି । ଉକ୍ତ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୬ଟି ଦେଶର ନିବେଶକଙ୍କ ସହ ଆଲୋଚନା କରିବେ । ଉକ୍ତ ଆଲୋଚନାରେ ଆମେରିକା, ବ୍ରିଟେନ, ଜାପାନ, ଲକ୍ସମବର୍ଗ, ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ, ବାହାରିନ୍‌, ସିଙ୍ଗାପୁର, ବେଲଜିୟମ, ଓମାନ, କାତାର ଓ ୟୁଏଇ ନିବେଶକମାନେ ଯୋଗଦେବାର ଅଛି । ଉକ୍ତ ସମ୍ମିଳନୀର ପରିଣାମ ଯାହା ହେଉନା କାହିଁକି ନବୀନବାବୁଙ୍କ ଗୁଣଗ୍ରାହୀ ସମ୍ବାଦପତ୍ରଗୁଡ଼ିକ ବାଲିକଣିକାକୁ ପାହାଡ଼ ଆକାର ଦେଇ ବିଜ୍ଞାପନ ବାବଦକୁ ଲକ୍ଷାଧିକ ଟଙ୍କା ସାଉଁଟିନେବେ ।

ସତକଥା କହିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅମଳରେ ରାଜ୍ୟରେ ଗୋଟିଏ ବି ଭାରିଶିଳ୍ପ ପ୍ରତିଷ୍ଠା ହୋଇପାରିନି । ନିବେଶକ ଆସୁଛନ୍ତି, ରାଜ୍ୟ ସରକାରଙ୍କ ଅତିଥି ହୋଇ ରାଜକୋଷ ଅର୍ଥରେ ମଉଜ ମଜଲିସ କରୁଛନ୍ତି । ଆପଣା ବାଟରେ ଚାଲି ଯାଉଛନ୍ତି । ନବୀନବାବୁଙ୍କ ଆଗରେ ମୁଠାଏ ଘାସ ବି ପକାଉନାହାନ୍ତି ।