ହାତୀମୁଣ୍ଡ ଲଗାଇ ଶ୍ରୀଗଣେଶଙ୍କୁ ‘ବିକୃତ’ କଲା କୋଉ କାରିଗର

ନବୀନବାବୁଙ୍କୁ ପଚାରି ଗଣେଶଙ୍କ ପ୍ରତିମା କରାଯାଉ

ପ୍ରଭୁ ଗଣେଶଙ୍କ ରୁଦ୍ରାବତାର ନିକଟରେ ହାଇକୋର୍ଟ ଚୁପ୍‌….

କଟକ: ପୁଲିସକୁ ଅଖଣ୍ଡ କ୍ଷମତା ଦେବା ପୂର୍ବରୁ ହାଇକୋର୍ଟ ପ୍ରଥମେ ‘ବିକୃତ’ ଶବ୍ଦଟିର ସଂଜ୍ଞା ନିରୂପଣ କରିବା ଉଚିତ ଥିଲା । ବୈଜ୍ଞାନିକ ତଥ୍ୟ ପ୍ରମାଣକୁ ଆଇନ ଅଦାଲତ ପ୍ରାଥମିକତା ଦେଇଥାନ୍ତି । ମନଗଢ଼ା ଓ କଳ୍ପନାପ୍ରସୂତକୁ ଅଦାଲତ ବଳିଷ୍ଠ ପ୍ରମାଣ ରୂପେ ସ୍ୱୀକାର କରନ୍ତି ନାହିଁ । ପ୍ରଭୁ ଶ୍ରୀଗଣେଶଙ୍କର ଯେଉଁ ପ୍ରତିମାକୁ ହାଇକୋର୍ଟ ଶାସ୍ତ୍ରସମ୍ମତ ମଣିଛନ୍ତି । ସେଇଟା ବିକୃତ ବୋଲି ହାଇକୋର୍ଟ ମନେକଲେନି କେମିତି? ହାଇକୋର୍ଟଙ୍କ ଜାଣତରେ ଏପରି କୌଣସି ଶିଶୁ ଜନ୍ମଲାଭ କରିଛନ୍ତି କି ଯାହାର ଶରୀରଟି ମଣିଷ ଆକୃତି ଓ ମୁଣ୍ଡଟି ହାତୀମୁଣ୍ଡ ଥିବ । ଯଦି ଜାଣିଛନ୍ତି, ତେବେ ହାଇକୋର୍ଟ ସେଭଳି ଶିଶୁଟିର ଠିକଣା ଦିଅନ୍ତୁ; ଏ ମୂର୍ଖ ଲେଖକ ସେଭଳି ଶିଶୁଟିର ଦର୍ଶନ କରି ଜନ୍ମସାର୍ଥକ କରିବ । ମୋ ଜାଣତରେ ପୃଥିବୀ ପୃଷ୍ଠରେ ଥିବା କୌଣସି ଦେଶର ଡାକ୍ତର ବା ବୈଜ୍ଞାନିକମାନେ ଏଭଳି ବିରଳ ଅସ୍ତ୍ରୋପଚାର କରିନାହାନ୍ତି ଯୋଉଠି ମଣିଷ ଶିଶୁଟିର ମୁଣ୍ଡଟି ହାତୀମୁଣ୍ଡ ସଦୃଶ ଥିବ । ପୁରାଣ ବର୍ଣ୍ଣିତ ଶ୍ରୀଗଣେଶଙ୍କ ପ୍ରତିମାକୁ ଯଥାର୍ଥ ବୋଲି ହାଇକୋର୍ଟ କେଉଁ ବଳିଷ୍ଠ ପ୍ରମାଣକୁ ଆଧାର କରି ରାୟ ପ୍ରଦାନ କଲେ ।

ପୁଲିସକୁ ଅଖଣ୍ଡ କ୍ଷମତା ଦେବା ପଛରେ ଦୁଇଟି କାରଣ ସାମ୍ନାକୁ ଆସୁଛି । ହୁଏତ ପୁରାଣ ପ୍ରସଙ୍ଗରେ ମୁଣ୍ଡ ପୁରାଇ ହାଇକୋର୍ଟ ସମାଲୋଚନାର ପାତ୍ର ହେବାକୁ ଚାହୁଁନାହାନ୍ତି ନଚେତ ସରକାର ଓ ପୁଲିସ ହାତରେ ଶ୍ରୀଗଣେଶଙ୍କ ପ୍ରତିମା ନିର୍ମାଣ ଓ ପୂଜାର୍ଚ୍ଚନା ବିଷୟକୁ ଛାଡ଼ି ଦେଇ ହାଇକୋର୍ଟ ଲୋକଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରୁଛନ୍ତି ।
ଶ୍ରୀଗଣେଶଙ୍କ ପ୍ରତିମା ବିବାଦରେ ହାଇକୋର୍ଟ ପ୍ରବେଶ କରିବାକୁ ଚାହିଁଲେନି ନା’ ହାଇକୋର୍ଟଙ୍କ ବୁଦ୍ଧି ପାଇଲାନି । ସାଧାରଣରେ ଏହି ବିତର୍କର ସୂତ୍ରପାତ ହୋଇଛି । ହାଇକୋର୍ଟ କହିଛନ୍ତି, ଚିରାଚରିତ ପ୍ରତିମାକୁ ବାଦ ଦେଇ ବିକୃତ ପ୍ରତିମା ନିର୍ମାଣ କରାଯିବନି । ସେପରି ହେଲେ, ହିନ୍ଦୁ ଶ୍ରଦ୍ଧାଳୁଙ୍କ ଧାର୍ମିକ ଭାବନକୁ ଆଘାତ ହେବ । ହିନ୍ଦୁ ଆଇନ ଅନୁଯାୟୀ ବିକୃତ ପ୍ରତିମା ନିର୍ମାଣ ଓ ପୂଜା ଆଇନ ସମ୍ମତ ନୁହେଁ । ବିକୃତ ପ୍ରତିମା ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଭାବ ପକାଇବାର ସମ୍ଭାବନା ରହିଛି । ସଂକ୍ଷେପରେ ପୁଲିସ ପ୍ରଶାସନର ମର୍ଜି ଉପରେ ପ୍ରତିମା ନିର୍ମାଣ ଓ ପୂଜାର୍ଚ୍ଚନା ବିଷୟକୁ ଛାଡ଼ି ଦେଇ ହାଇକୋର୍ଟ ସବୁ ଦୋଷରୁ ମୁକ୍ତି ପାଇଛନ୍ତି । ଏଣିକି ପୁଲିସ ପ୍ରଶାସନ ପରାମର୍ଶ ମୁତାବକ ମଣ୍ଡପରେ ଗଣେଶ ପ୍ରତିମା ପୂଜା ପାଇବେ । ସବୁକିଛି ନିଷ୍ପତି ଯଦି ପୁଲିସ ପ୍ରଶାସନ ଉପରେ ଛାଡ଼ି ଦେଇ ଅଦାଲତ ନିଶ୍ଚିନ୍ତ ରହିବେ ।

ତେବେ ହାଇକୋର୍ଟ ଏହା ମଧ୍ୟ ଘୋଷଣା କରିଦେବା ଉଚିତ ଯେ ପୁଲିସ ପ୍ରଶାସନର କାର୍ଯ୍ୟଧାରା ସଂପୂର୍ଣ୍ଣ ଠିକ୍‌ ଓ ସେମାନଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବାର ଅଧିକାର ଅଦାଲତଙ୍କ ନାହିଁ । ପୁଲିସ ପ୍ରଶାସନ ଅନୁମତି ଅନୁସାରେ ପୂଜା ଆୟୋଜକମାନେ ମଣ୍ଡପରେ ସମସ୍ତଙ୍କୁ ସୁହାଉଥିବା ଗୀତ ବଜାଇବେ । ଏକାଧିକ ଅର୍ଥ ବୁଝାଉଥିବା ଗୀତ ବଜାଇବେ ନାହିଁ । ‘ମାରମାର ଭଣ୍ଡାରିଆକୁ ମାର’ ନୀତିରେ ପ୍ରତିମା କାରିଗରଙ୍କ ପେଟକୁ ନାତ ମରାଗଲା କାହିଁକି? ସେଭଳି ପ୍ରତିମା ତିଆରି କରିବା ପାଇଁ ବରାଦ ଦେଇଥିବା ଅନୁଷ୍ଠାନକୁ କ’ଣ ପାଇଁ ଦାୟୀ କରାଗଲାନି ।
ସବୁଠାରୁ ଭଲ ହେବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଚାରି ପ୍ରଭୁ ଶ୍ରୀଗଣେଶ ପ୍ରତିମା ନିର୍ମାଣ କରାଯାଉ ଓ ତା’ର ପୂଜାର୍ଚ୍ଚନା ହେଉ । କାରଣ ତାଙ୍କ ଇଛା ବିନା ମହାପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି ନାହିଁ ।