ଦିଲ୍ଲୀ ଆପ୍‌ ସରକାରକୁ ସିବିଆଇ ଛାଟ

ଉପ-ମୁଖ୍ୟମନ୍ତ୍ରୀ ସିସୋଦିୟାଙ୍କ ଘରେ ସିବିଆଇ….

ନୂଆଦିଲ୍ଲୀ: ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟାଙ୍କ ଘର ଉପରେ ସିବିଆଇ ଚଢ଼ଉ କରି ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରିଛି । ଦିଲ୍ଲୀର ଅବକାରୀ ନୀତିର ଦୁରୂପଯୋଗ ତାଲିକାରେ ମନିଷ ସିସୋଦିୟା ଏକ ନମ୍ବରରେ ଅଛନ୍ତି ବୋଲି ସିବିଆଇ କହିଛି । ସିବିଆଇ ଏଫ୍‌ଆଇଆରରେ ୧୫ ଜଣ ଅଭିଯୁକ୍ତ ନାମ ରହିଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅବକାରୀ ନୀତି ପ୍ରାୟ ୯ ମାସ ଧରି କାଏମ ଥିଲା ଯାହା ଗତମାସରେ ପ୍ରତ୍ୟାହାର କରି ନିଆଯାଇଛି । ସିବିଆଇର ୧୧ ପୃଷ୍ଠା ବିଶିଷ୍ଟ ଅଭିଯୋଗ ଫର୍ଦ୍ଦରେ ଉପ-ମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟା, ଦିଲ୍ଲୀର ପୂର୍ବତନ ଅବକାରୀ କମିଶନର ଗୋପୀ କ୍ରିଷ୍ଣା ଅଛନ୍ତି ।

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ସିବିଆଇ ଚଢ଼ଉକୁ ସଂପୂର୍ଣ୍ଣ ରାଜନୈତିକ କହିଛନ୍ତି । କେଜ୍ରିୱାଲ ଅଭିଯୋଗ କରିଛନ୍ତି, ଆପ୍‌ ଲୋକପ୍ରିୟତାକୁ ବିଜେପି ସହି ପାରୁନାହିଁ । ଆଗାମୀ ଲୋକସଭା ନିର୍ବାଚନରେ ଆପ୍‌ ଗତିକୁ ଅଟକାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ହୀନ ପନ୍ଥା ଆଦରିଛନ୍ତି । ନିଜକୁ ନିର୍ଦ୍ଦୋଷ ଦାବି କରି ଉପ-ମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟା କହିଛନ୍ତି, କିଛି ଭଲ କରିବାକୁ ଚାହିଁଲେ, ବହୁତ କିଛି ସହିବାକୁ ପଡ଼ିଥାଏ ।