ବିଜେପି ପାଇଁ ଗାତ ଖୋଳିଲେ ମୋଦୀ: ଏଜେଡି

ପାରିବାରିକ ରାଜନୀତିରୁ ବାଦପଡ଼ିନି ବିଜେପି

ଭୁବନେଶ୍ୱର: କାଉ ନିଜକୁ ବେଶି ଚାଲାକ ଭାବି ମଳ ଖାଏ । ପ୍ରଧାନମନ୍ତ୍ରୀ ମୋଦୀ ବିଜେପିକୁ ଯେଉଁ ବାଟ ଦେଇ ଶୀର୍ଷରେ ପହଂଚାଇଛନ୍ତି, ସେହି ବାଟ ଦେଇ ପାତାଳକୁ ଠେଲିଦେବେ । ଲାଲକିଲ୍ଲାରୁ ବିଜେପି ପାଇଁ ଗୋତ ଖୋଳିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କଂଗ୍ରେସର ପରିବାର ଶାସନକୁ ମୁଖ୍ୟ ଆୟୁଧ କରି ପ୍ରଧାନମନ୍ତ୍ରୀ ମୋଦୀ ନିଜ ଗୋଡ଼କୁ ଚୋଟ ପକାଇଛନ୍ତି । ତା’ ସହିତ ବିଜେପି ପାଇଁ ମହାପରାଜୟ ଡାକି ଆଣିଛନ୍ତି । ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଭାଷଣ ଛଳରେ ପ୍ରଥମେ କଂଗ୍ରେସର ପ୍ରଥମ ପରିବାରକୁ ସମାଲୋଚନା କରିବା ବଦଳରେ ନିଜକୁ ଅନୁଧ୍ୟାନ କରିବା ଜରୁରୀ ଥିଲା । ମୋଦୀଙ୍କୁ କଟାକ୍ଷ କରି ଏଜେଡି ଆବାହକ ସୀତାରାମ ବେହେରା କହିଛନ୍ତି, ‘ଗୋଦରି ଲୋ, ତୋ ଗୋଡ଼କୁ ଅନା ।’ ସାକ୍‌ସୀ ନ୍ୟୁଜକୁ ଏକ ସାକ୍ଷାତକାର ଦେଇ ‘ଆମ ଜନତା ଦଳ’ ଆବାହକ ସୀତାରାମ ବେହେରା କହିଛନ୍ତି, କଂଗ୍ରେସର ପରିବାର ଶାସନକୁ ସମାଲୋଚନା କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ନିଜ ଦଳ ଉପରେ ଦୃଷ୍ଟି ପକାନ୍ତୁ । ବିଜେପି ମଧ୍ୟ ପରିବାର ଶାସନକୁ ଆଦରିଛି । ଭାରତରେ ଗଣତନ୍ତ୍ରର ମୂଳପିଣ୍ଡ ହେଉଛି ପରିବାର ଶାସନ । ଶତାବ୍ଦୀ ଶତାବ୍ଦୀ ଧରି ଭାରତରେ ରାଜାରାଜୁଡ଼ା ଶାସନ କରୁଥିଲେ । ରାଜପରିବାର ପ୍ରତି ଭାରତବାସୀଙ୍କ ମନରେ ଦୁର୍ବଳତା ରହିଆସିଛି । ଏବେ ମଧ୍ୟ ଭାରତର ଅନେକ ସ୍ଥାନରେ ରାଜପରିବାର ଦାୟାଦଙ୍କର ଅଭିଷେକ ପରମ୍ପରା ଜାରି ରହିଛି । ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ରାଜପରିବାରରେ ଅଭିଷେକ ରୀତି ଗଣତନ୍ତ୍ରକୁ ଅପମାନ ନୁହେଁ କି?

୩୦୦ ବିଜେପି ସାଂସଦଙ୍କ ଭିତରୁ ୩୦ ଜଣ ବଂଶବାଦରୁ ଆନୀତ । ମୋଦୀଙ୍କ କ୍ୟାବିନେଟ୍‌ ମନ୍ତ୍ରୀ ଅନୁରାଗ ଠାକୁର, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟସଭା ନେତା ପୀୟୁଷ ଗୋୟଲ ରାଜନୀତି ପରିବାରରୁ ଆସିଛନ୍ତି । ଲୋକସଭା ସାଂସଦ ପୁନମ ମହାଜନ ହେଉଛନ୍ତି ଦିବଙ୍ଗତ ବିଜେପି ନେତା ପ୍ରମୋଦ ମହାଜନଙ୍କ ଝିଅ । ସାଂସଦ ପ୍ରୀତମ ମୁଣ୍ଡେ ହେଉଛନ୍ତି ପୂର୍ବତନ ବିଜେପି ନେତା ଗୋପୀନାଥ ମୁଣ୍ଡେଙ୍କ ପୁଅ । ସାଂସଦ ସୁଜୟ ଭିଖେ ପାଟିଲଙ୍କ ବାପା ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଏବଂ ଏସିଆର ପ୍ରଥମ ଚିନି ସମବାୟ ସମିତି ପ୍ରତିଷ୍ଠାତା । ସାଂସଦ ହୀନା ଗାଭିତଙ୍କ ବାପା ମହାରାଷ୍ଟ୍ରରେ ମନ୍ତ୍ରୀ ଅଛନ୍ତି । ସାଂସଦ ଧୈର୍ଯ୍ୟଶୀଳ ମାନେ ମଧ୍ୟ ରାଜନୀତି ପରିବାରରୁ ଆସିଛନ୍ତି । ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ରାଜନୀତି ପରିବାରରୁ ଆସିଛନ୍ତି । କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ପୁଅ ମହାରାଷ୍ଟ୍ରରେ ବିଧାୟକ ଅଛନ୍ତି । ଏକା ବିଜେପି ନୁହେଁ, ବିଜେପି ଗୋଠରେ ସାମିଲ ହୋଇଥିବା ବହୁ ରାଜନୈତିକ ଦଳର ଅସ୍ତିତ୍ୱ ପରିବାରତନ୍ତ୍ର ଉପରେ ଠିଆ ହୋଇଛି । ପଶ୍ଚିମବଙ୍ଗ ବିଜେପିର ଲୋକପ୍ରିୟ ଚେହେରା ଶୁଭେନ୍ଦୁ ଅଧିକାରୀ ଏପରି ଏକ ରାଜନୀତି ପରିବାରରୁ ଆସିଛନ୍ତି ଯାହାର ଚେର ପୋତିଛନ୍ତି ତୃଣମୂଳ କଂଗ୍ରେସ ପ୍ରତିଷ୍ଠାତା ମମତା ବାନାର୍ଜୀ । ହରିଆଣା ଉପ-ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲା ବରିଷ୍ଠ ରାଜନେତା ଦେବୀଲାଲଙ୍କ ଦାୟାଦ । ପୂର୍ବତନ ମୁଖ୍ୟମନ୍ତ୍ରୀ ଭଜନ ଲାଲଙ୍କ ସ୍ତ୍ରୀ ଓ ପୁଅ ମଧ୍ୟ ବିଜେପିରେ ମିଶିଛନ୍ତି ।

କ୍ୟାବିନେଟ୍‌ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବାପା ମାଧବରାଓ ସିନ୍ଧିଆ ଜଣେ ବରିଷ୍ଠ କଂଗ୍ରେସ ନେତା ଥିଲେ । ସିନ୍ଧିଆ ପରିବାର କଂଗ୍ରେସରୁ ହିଁ ରାଜନୀତି ଆରମ୍ଭ କରିଥିଲେ । କୋଉ ପରିସ୍ଥିତିରେ ଜ୍ୟୋତିରାଦିତ୍ୟ କଂଗ୍ରେସରୁ ଅଲଗା ହେଲେ, ତାହା ଆମେ ସମସ୍ତେ ଜାଣିଛୁ । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ମା’ ବିଜୟାରାଜେ ସିନ୍ଧିଆଙ୍କ ବଳିଷ୍ଠ ରାଜନୈତିକ ବ୍ୟକ୍ତିତ୍ୱ କାହାକୁ ଅଛପା ନାହିଁ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ସହ ମିଶି ବିଜୟାରାଜେ ବିଜେପି ପ୍ରତିଷ୍ଠା କରିବାରେ ଅଗ୍ରଣୀ ଭୂମିକା ନେଇଥିଲେ । ରାଜସ୍ଥାନରେ ପରିବାର ଶାସନର ଗୁରୁତ୍ୱ ସର୍ବାଧିକ । ଖୋଦ୍‌ ବିଜେପି ପାରିବାରିକ ରାଜନୀତିକୁ ଆଦରି ନେଇଥିଲା ବେଳେ କଂଗ୍ରେସକୁ ସମାଲୋଚନା କରିବା ନିଜ ଗୋଡ଼କୁ କୁରାଢ଼ୀ ଚୋଟ ପକାଇବା ସଙ୍ଗେ ସମାନ ନୁହେଁ କି?