ଅରୁଣାଚଳ ପ୍ରଦେଶରେ ଖସିପଡ଼ିଲା ଚିତା, ଦୁଇ ପାଇଲଟ୍‌ ନିଖୋଜ

ତା’ ସହିତ ଘନ କୁହୁଡ଼ି ଆସ୍ତରଣ ଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି….

ନୂଆଦିଲ୍ଲୀ: ଗୁରୁବାର ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନାବାହିନୀର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ମଣ୍ଡଲା ପାର୍ବତ୍ୟାଂଚଳରେ ହେଲିକପ୍ଟରଟିର ଭଙ୍ଗାଅଂଶ ସନ୍ଧାନ ମିଳିଥିଲା ବେଳେ ସେଥିରେ ବସିଥିବା ଦୁଇ ପାଇଲଟଙ୍କର ଖୋଜଖବର ନାହିଁ । କୁହାଯାଉଛି ହେଲିକପ୍ଟରଟିରେ ଜଣେ ଲେଫ୍ଟନାଂଟ କର୍ଣ୍ଣେଲ ଓ ମେଜର ର‍୍ୟାଙ୍କ ଅଧିକାରୀ ବସିଥିଲେ । ପ୍ରତିରକ୍ଷା ଅଧିକାରୀଙ୍କ ସୂଚନା ମୁତାବକ ଚିତା ହେଲିକପ୍ଟର ବୋମ୍ବଡିୟାଲ ନିକଟରେ ଉଡୁଥିଲା ବେଳେ ସକାଳ ୯ଟା ୧୫ ମିନିଟ୍‌ ସମୟରେ ଏଟିସି ସହ ସଂପର୍କ କଟି ଯାଇଥିଲା ।

ଅରୁଣାଚଳ ପୁଲିସ ଦେଇଥିବା ସୂଚନା ଅନୁସାରେ, ଦିନ ସାଢେ଼ ୧୨ଟାରେ ବଙ୍ଗଜାଲେପ ଓ ଦିରାଙ୍ଗ ଥାନା ଅଂଚଳରେ ଥିବା ଗ୍ରାମୀଣ ଇଲାକାରୁ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟିର ଖଣ୍ଡବିଖଣ୍ଡ ଅଂଶ ଠାବ କରାଯାଇଛି । ସେନା, ପୁଲିସ, ଅର୍ଦ୍ଧସାମରିକ ଫଉଜ ମିଳିତ ଭାବେ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି । ସଂପୃକ୍ତ ଅଂଚଳରେ କୌଣସି ସିଗ୍‌ନାଲ କାମ କରୁ ନଥିବାରୁ ସାଟେଲାଇଟ୍‌ ଫଟୋ ଉଠାଇବା ସମ୍ଭବ ହୋଇପାରିନି । ତା’ ସହିତ ଘନ କୁହୁଡ଼ି ଆସ୍ତରଣ ଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।

୨୦୨୨ ଅକ୍ଟୋବର ୨୧ ତାରିଖରେ ଅରୁଣାଚଳ ପ୍ରଦେଶର ସିୟାଙ୍ଗ ଜିଲ୍ଲାରେ ସେନା ହେଲିକପ୍ଟର ରୁଦ୍ର’ ଦୁର୍ଘଟଣାଗ୍ରସ୍ତ ହେବାରୁ ୫ ଜଣ ସେନା ଅଧିକାରୀ ପ୍ରାଣ ହରାଇଥିଲେ । ରୁଦ୍ର ହେଲିକପ୍ଟରଟିକୁ ତିଆରି କରିଥିଲା ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ) ।

ଅକ୍ଟୋବର ୫ ତାରିଖ ସକାଳ ୧୦ଟାରେ ତବାଙ୍ଗ ଇଲାକାରେ ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇଜଣ ପାଇଲଟ୍‌ ଗୁରୁତର ଆହତ ହୋଇଥିଲେ । ସେମାନଙ୍କ ଭିତରୁ ଲେଫ୍ଟନାଂଟ କର୍ଣ୍ଣେଲ ସୌରଭ ଯାଦବଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।