ୟୁକ୍ରେନରେ ମର୍ମନ୍ତୁଦ ହେଲିକପ୍ଟର ଦୁର୍ଘଟଣା:

ମନ୍ତ୍ରୀଙ୍କ ସମେତ ୧୮ ମୃତ, ୨୯ ଆହତ….

କିଭ: ବୁଧବାର ୟୁକ୍ରେନ ରାଜଧାନୀ କିଭ ଉପକଣ୍ଠରେ ହେଲିକପ୍ଟରଟିଏ ଦୁର୍ଘଟଣାର ଶିକାର ହେବା କାରଣରୁ ତିନିଜଣ ପିଲାଙ୍କ ସମେତ ୧୮ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ୟୁକ୍ରେନର ଜଣେ ମନ୍ତ୍ରୀ ଅଛନ୍ତି ।

ସୂଚନା ମୁତାବକ ହେଲିକପ୍ଟରଟି କୌଣସି କାରଣରୁ ବ୍ରୋଭାରୀ ଅନ୍ତର୍ଗତ ଏକ କିଣ୍ଡରଗାର୍ଟନ ଓ ଆବାସିକ କୋଠା ନିକଟରେ ଗଳିପଡ଼ିଥିଲା । ଫଳରେ କିଣ୍ଡରଗାର୍ଟନର କିଛି ପିଲା ଓ ଆଖପାଖରେ ବୁଲାବୁଲି କରୁଥିବା କିଛି ଲୋକ ହେଲିକପ୍ଟରଟିର ଖଣ୍ଡବିଖଣ୍ଡ ଅଂଶ ମାଡ଼ରେ ମୃତାହତ ହୋଇଛନ୍ତି । ହେଲିକପ୍ଟରଟି ଯେଉଁ ଅଂଚଳରେ ଦୁର୍ଘଟଣାର ଶିକାର ହୋଇଛି; ନିକଟ ଅତୀତରେ ସେହି ସ୍ଥାନରେ ରୁଷିଆ ଓ ୟୁକ୍ରେନ ସେନା ମଧ୍ୟରେ ଘମାଘୋଟ ଲଢେ଼ଇ ହୋଇଥିଲା ।

କିଣ୍ଡରଗାର୍ଟନ ଓ ଆବାସିକ କୋଠା ଆଖପାଖରେ ହେଲିକପ୍ଟରଟିର ଖଣ୍ଡ ବିଖଣ୍ଡିତ ଅଂଶ ବିକ୍ଷିପ୍ତ ଅବସ୍ଥାରେ ପଡ଼ିିବା ମାତ୍ରେ ପିଲାମାନଙ୍କର ଆକୁଳ ଚିକ୍ରାର କାନରେ ପଡ଼ିଥିଲା । ୟୁକ୍ରେନ ପୁଲିସ ଦେଇଥିବା ସୂଚନା ମୁତାବକ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟିରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଡେନିସ୍‌ ମୋନାଷ୍ଟିରସ୍କାଏ ଓ ତାଙ୍କ କନିଷ୍ଠ ୟେଭଜେନିୟ ୟେନିନ୍‌ ଯାତ୍ରା କରୁଥିଲେ । ଦୁହେଁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।

ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ହେଲିକପ୍ଟରଟି ଆକାଶ ମାର୍ଗରେ ଯାଉଥିଲା ବେଳେ ହଠାତ୍‌ ଜଳି ଉଠିଥିଲା ଓ ଖଣ୍ଡବିଖଣ୍ଡ ହୋଇ ତଳକୁ ଖସିଥିଲା । ପାଇଲଟ୍‌ଙ୍କ ସମେତ ୧୮ ଜଣ ପ୍ରାଣ ହରାଇଛନ୍ତି; ୧୫ ଜଣ ପିଲାଙ୍କ ସମେତ ୨୯ ଜଣ ଖଣ୍ଡିଆଖାବରା ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ।