୧୬ ଫେବୃଆରୀରେ ତ୍ରିପୁରା, ୨୭ରେ ମେଘାଳୟ ଓ ନାଗାଲାଣ୍ଡରେ ଭୋଟ, ୨ ମାର୍ଚ୍ଚରେ ଫଳାଫଳ

ସୂଚନା ମୁତାବକ ଫେବୃଆରୀ ୧୬ ତାରିଖରେ ତ୍ରିପୁରା ବିଧାନସଭା ପାଇଁ ଭୋଟରଙ୍କଠାରୁ ମତଦାନ ଗ୍ରହଣ କରାଯିବ…

ନୂଆଦିଲ୍ଲୀ: ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି । ବୁଧବାର ସାଢେ଼ ୨ଟାରେ ନିର୍ବାଚନ କମିଶନ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ତିନୋଟି ଯାକ ରାଜ୍ୟର ମତଦାନ ବିଷୟ ଜଣାଇଛନ୍ତି । ସୂଚନା ମୁତାବକ ଫେବୃଆରୀ ୧୬ ତାରିଖରେ ତ୍ରିପୁରା ବିଧାନସଭା ପାଇଁ ଭୋଟରଙ୍କଠାରୁ ମତଦାନ ଗ୍ରହଣ କରାଯିବ ।

ଫେବୃଆରୀ ୨୭ ତାରିଖରେ ନାଗାଲାଣ୍ଡ ଓ ମେଘାଳୟ ବିଧାନସଭା ପାଇଁ ମତଦାନ ଗ୍ରହଣ କରାଯିବ । ମାର୍ଚ୍ଚ ୨ ତାରିଖରେ ତିନୋଟି ଯାକ ରାଜ୍ୟର ମତ ଗଣନା ଓ ଫଳାଫଳ ଘୋଷଣା କରାଯିବ । ଚଳିତ ବର୍ଷ ଆରମ୍ଭରୁ ଭାରତର ଉତର-ପୂର୍ବାଂଚଳ ଅନ୍ତର୍ଗତ ତିନୋଟି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ ।

ନିର୍ବାଚନ ତାରିଖ ଘୋଷଣା କରିବା ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଓ ତାଙ୍କ ଟିମ ଜାନୁଆରୀ ୧୧ ତାରିଖରେ ତିନୋଟି ଯାକ ରାଜ୍ୟ ଗସ୍ତ କରି ବିଧାନସଭା ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ସହିତ ବିସ୍ତୃତ ଆଲୋଚନା କରିଥିଲେ ।

ତିନୋଟି ଯାକ ବିଧାନସଭାର ଆସନ ସଂଖ୍ୟା ୬୦ଟି ଲେଖାଁଏ ଅଛି । ମାର୍ଚ୍ଚ ୧୨ ତାରିଖରେ ନାଗାଲାଣ୍ଡ ବିଧାନସଭାର କାର୍ଯ୍ୟକାଳ ସରୁଥିଲା ବେଳେ ମାର୍ଚ୍ଚ ୧୫ ତାରିଖରେ ମେଘାଳୟ ଓ ମାର୍ଚ୍ଚ ୨୨ରେ ତ୍ରିପୁରା ବିଧାନସଭାର କାର୍ଯ୍ୟକାଳ ସରୁଛି ।