ଗ୍ୟାସ୍‌ ଚାମ୍ବରରେ ଦିଲ୍ଲୀ, ଚାଷୀଙ୍କୁ ଜୋରିମାନା

ସରକାରଙ୍କ ମତରେ ଆବଶ୍ୟକ ସ୍ଥଳେ ଚାଷୀଙ୍କୁ ସୁପରସିଡର୍‌ ଯୋଗାଇ ଦିଆଯାଇଛି….

ନୂଆଦିଲ୍ଲୀ: ପଞ୍ଜାବରେ ଜଳିଲା ଶସ୍ୟଖୁଂଟା । ଉତରା ପବନରେ ଶସ୍ୟଖୁଂଟା ଧୂଆଁ ଆସି ଦିଲ୍ଲୀକୁ ଆଚ୍ଛନ୍ନ କଲା । ବିଷାକ୍ତ ଧୂଆଁ ଭିତରେ ଶ୍ୱାସଗ୍ରହଣ କରିବା ଦିଲ୍ଲୀବାସୀଙ୍କ ପକ୍ଷେ କଷ୍ଟକର ହୋଇପଡିଛି । ଚଳିତ ବର୍ଷର ଧୂଆଁ ବିଗତ ରେକର୍ଡକୁ ଅତିକ୍ରମ କରିଛି । ଏ ସଂକ୍ରାନ୍ତରେ ନଭେମ୍ବର ୨ ଦିନ ୩୬୦୦ରୁ ଅଧିକ ମାମଲା ରୁଜୁ କରାଯାଇଛି । ସେପ୍ଟେମ୍ବର ୧୫ ତାରିଖରୁ ଆଜିସୁଦ୍ଧା ୨୧୪୮୦ ମାମଲା ରୁଜୁ କରାଗଲାଣି ।

ପଞ୍ଜାବର ଆପ୍‌ ସରକାର ଶସ୍ୟଖୁଂଟା ଜଳାଇବା ଅଭିଯୋଗରେ ଅଭିଯୁକ୍ତ ଚାଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ବିଧାନସଭା କ୍ଷେତ୍ର ସଙ୍ଗରୁରରେ ପ୍ରାୟ ୨୦୧ ଚାଷୀଙ୍କ ଉପରେ ଜୋରିମାନା ଲାଗୁ କରାଯାଇଛି । ତା’ ସହିତ ସେମାନଙ୍କ ଜମିକୁ ଲାଲ ବଳୟ ଅନ୍ତର୍ଗତ କରାଯାଇଛି ।

ଶସ୍ୟଖୁଂଟାରେ ନିଆଁ ଲଗାଇବା ଛଡ଼ା ଅନ୍ୟ ରାସ୍ତା ନାହିଁ ବୋଲି କିଛି ଚାଷୀ ସଂଗଠନ ଯୁକ୍ତି କରୁଥିବା ବେଳେ ସରକାର ମଧ୍ୟ ନିଜକୁ ଦୋଷମୁକ୍ତ ଦାବି କରୁଛି । ସରକାରଙ୍କ ମତରେ ଆବଶ୍ୟକ ସ୍ଥଳେ ଚାଷୀଙ୍କୁ ସୁପରସିଡର୍‌ ଯୋଗାଇ ଦିଆଯାଇଛି ।