ଅଟକିଲା ଦିଲ୍ଲୀ ମେୟର ନିର୍ବାଚନ, ପାଲଟିଲା ରଣକ୍ଷେତ୍ର

ଦିଲ୍ଲୀ ମେୟର ନିର୍ବାଚନ, ପାଲଟିଲା ରଣକ୍ଷେତ୍ର..

ନୂଆଦିଲ୍ଲୀ: ଦିଲ୍ଲୀ ନଗର ନିଗମକୁ ଆଜି ବିଧିବଦ୍ଧ ଭାବେ ମେୟର ମିଳିଲାନି । ପୂର୍ବ ପ୍ରସ୍ତୁତି ଅନୁସାରେ ନିର୍ଦ୍ଧାରିତ ସମୟରେ ମେୟର ପଦବୀ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାର ଥିଲା । କିନ୍ତୁ ଆମ୍‌ ଆଦ୍‌ମୀ ପାର୍ଟି ଓ ବିଜେପି ସଭ୍ୟଙ୍କ ଭିତରେ ପାଟିତୁଣ୍ଡ, ହାତାହାତି, ଠେଲାପେଲା, ମୁଥ ମରାମରି କାରଣରୁ ନିର୍ବାଚନକୁ ସ୍ଥଗିତ କରାଯାଇଛି ।

ମେୟର ନିର୍ବାଚନ ପରିଚାଳନା ପାଇଁ ନିଯୁକ୍ତ ଅଧିକାରୀ ପ୍ରଥମେ ମନୋନୀତ ସଭ୍ୟଙ୍କୁ ଶପଥ ଗ୍ରହଣ କରିବାକୁ ଡାକିବାରୁ ଆପ୍‌ ନେତା ମୁକେଶ ଗୋୟଲ ସେଥିରେ ହସ୍ତକ୍ଷେପ କରି ଗତ ୧୫ ବର୍ଷ ଧରି ଚାଲିଥିବା ନୀତିନିୟମକୁ ଜଳାଞ୍ଜଳି ଦେବାକୁ କହିଥିଲେ । ତାଙ୍କର ଏଭଳି ବକ୍ତବ୍ୟ ପରେ ପରେ ଆପ୍‌ର ଅନ୍ୟ ସଭ୍ୟମାନେ ଠିଆ ହୋଇ ତୀବ୍ର ପ୍ରତିବାଦ କରିଥିଲେ । ଆପ୍‌ ସଭ୍ୟମାନଙ୍କୁ ସାମ୍ନା କରିବା ପାଇଁ ବିଜେପି ସଭ୍ୟମାନେ ଆଗକୁ ମାଡ଼ି ଆସିଲେ । ବାସ୍‌ ନିର୍ବାଚନ ମଇଦାନଟି ରଣକ୍ଷେତ୍ର ପାଲଟିଗଲା । ଚଉକି ଫୋପଡ଼ା ବାଦ୍‌ ପଡ଼ିଲାନି । ମାଡ଼ପିଟ କାରଣରୁ ଉଭୟ ଦଳର ସଭ୍ୟମାନେ ଖଣ୍ଡିଆ ଖାବରା ହୋଇଛନ୍ତି ।

ଆପ୍‌ ଅଭିଯୋଗ କରିଛି ଯେ ମନୋନୀତ ୧୦ ସଭ୍ୟଙ୍କୁ ମତଦାନ ଅଧିକାର ଦେବାକୁ ବିଜେପି ଗୋଟି ଚାଳନା କରିଛି । ବିଜେପି ସାଂସଦ ପ୍ରବେଶ ବର୍ମା କହିଛନ୍ତି, ଆମର ସବୁ ମହିଳା ସଭ୍ୟଙ୍କୁ ଆପ୍‌ ସଭ୍ୟମାନେ ନିଶାସକ୍ତ ହୋଇ ଅସଦାଚରଣ କରିଛନ୍ତି, ମାଡ଼ ମାରିଛନ୍ତି, କେଶ ଟାଣିଛନ୍ତି, ଖରାପ ଭାଷାରେ ଗାଳିଗୁଲଜ କରିଛନ୍ତି । ଏମ୍‌ସିଡି ଇତିହାସରେ ଏଭଳି କଳଙ୍କିତ ଘଟଣା ଆଦୌ ଘଟି ନଥିଲା ।