ନବୀନଙ୍କ ‘ଆପନମାନେ ଖୁସି ତ’ରେ ଚାରିକୋଟି ହକିପ୍ରେମୀ

ଆପନମାନେ ଖୁସି ତ..

ଭୁବନେଶ୍ୱର,(ସାକ୍‌ସୀ ନିୟୁଜ): ହକି ବିଶ୍ୱକପ୍‌ ଯେତିକି ପାଖେଇ ଆସୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଆପନମାନେ ଖୁସି ତ’ ଆହ୍ୱାନ ଚାରିକୋଟି ଲୋକଙ୍କୁ ପାଗଳ କରିଛି । ରାଜ୍ୟ ସରକାରଙ୍କର ସବୁ ବିଭାଗ ଆପଣା ଆପଣା ସ୍ତରରେ ଲୋକଙ୍କୁ ହକି ମାନିଆରେ ପକାଇବାକୁ ତତ୍ପର । ହକି ପ୍ରତି ଲୋକଙ୍କ ମନରେ ଉନ୍ମାଦନା ସୃଷ୍ଟି କରିବା ପାଇଁ ନାନା ଉପାୟ ଅବଲମ୍ବନ କରାଯାଉଛି । ଆସନ୍ତା ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ୱର ଓ ରାଉରକେଲାରେ ଗହଳ ଚହଳ ଲାଗିରହିବ । ପୁଲିସ ବାହିନୀକୁ ହକି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ସହିତ ରାଜଧାନୀର ଆଇନ ଶୃଙ୍ଖଳା ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ।

ହକି ପାଇଁ ସ୍ୱତନ୍ତ୍ର ପ୍ରଶଂସକ ଗୋଷ୍ଠୀ ତିଆରି କରିବାକୁ ସରକାରୀ ଓ ବେସରକାରୀ ସ୍ତରରେ ଏକାଧିକ ପଦକ୍ଷେପ ଗ୍ରହଣ କରାଯାଇଛି । ସେଥିଭିତରୁ କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟ ପକ୍ଷରୁ ଛାତ୍ରୀମାନଙ୍କ ଭିତରେ ହକି ସଚେତନତା ସଂପର୍କୀତ ରଙ୍ଗୋଲି, ଚିତ୍ରାଙ୍କନ ଓ ପୋଷ୍ଟର ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ମହାବିଦ୍ୟାଳୟ ପରିସରରେ ହକି ସମ୍ବଳିତ ପୋଷ୍ଟର, ବ୍ୟାନର, ପତାକା, ବାଲୁକା ଚିତ୍ର, ଖେଳାଳିଙ୍କ ଫଟୋଚିତ୍ର ପ୍ରଦର୍ଶିତ ହୋଇଥିଲା । ଛାତ୍ରୀମାନେ ମହାବିଦ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ନିକଟସ୍ଥ ଗ୍ରାମ ପରିକ୍ରମା କରିଥିଲେ।

ହକି ବିଶ୍ୱକପ୍‌ ଉଦ୍‌ଘାଟନ ସମାରୋହ ଓ ପ୍ରତିଯୋଗିତାର ସିଧା ପ୍ରସାରଣ ଦେଖିବା ପାଇଁ ଏକ ଏଲ୍‌ସିଡି ପ୍ରୋଜେକ୍ଟର ବ୍ୟବସ୍ଥା କରାଯାଇଛି । କଲେଜର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀମାନଙ୍କ ମିଳିତ ସହଯୋଗ ହକି ସଚେତନତାକୁ ଫଳପ୍ରସୂ କରିପାରିଛି।