ପାକିସ୍ତାନରେ ଘାସ ଖାଇବା ପରିସ୍ଥିତି

ସରକାରଙ୍କ ବିରୋଧରେ ବଢ଼ୁଛି ଜନ ଅସନ୍ତୋଷ….

ଇସଲାମାବାଦ: ପାକିସ୍ତାନ ଓ ଶ୍ରୀଲଙ୍କାରେ ହାହାକାର ପଡ଼ିଯାଇଛି । ଲୋକମାନେ ଦୁଇଓଳି ଖାଇବା ପାଇଁ ପାଉନାହାନ୍ତି । ଅତ୍ୟାବଶ୍ୟକ ଦରଦାମ ଆକାଶକୁ ଛୁଇଁଛି । ପାକିସ୍ତାନର ଗିଲଗିଟ୍‌ ଓ ବଲଟିସ୍ତାନ୍‌ ଅବସ୍ଥା ଅସମ୍ଭାଳ । ବଲଟିସ୍ତାନ ରାଜଧାନୀ କ୍ୱେଟାରେ ଗୋଟିଏ ଅଟା ଟ୍ରକ ପଛରେ ଶତାଧିକ ବାଇକ୍‌ ଆରୋହୀ ଧାଉଁଥିବାର ଦେଖିବାକୁ ମିଳୁଛି । କିଲେ ଅଟାର ଦାମ ୧୫୦ ଟଙ୍କା ହେଲାଣି ।ସରକାରଙ୍କ ବିରୋଧରେ ଜନଆକ୍ରୋଶ ବୃଦ୍ଧି ପାଇବାକୁ ଲାଗିଛି । ଅଧିକାଂଶ ପାକିସ୍ତାନବାସୀ ଭାରତରେ ମିଶିଯିବାକୁ ଚେତାବନୀ ଦେଇଛନ୍ତି ।

ୟେ ସେହି ପାକିସ୍ତାନ ଯାହାର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲ୍ଲୀ ଭୁଟୋ ଭାରତଠାରୁ ହାରିବା ପରେ ଦୃଢ଼ ସଂକଳ୍ପ କରି କହିଥିଲେ, ‘ଆବଶ୍ୟକ ପଡ଼ିଲେ ଆମେ ଘାସର ରୁଟି ଖାଇବୁ, କିନ୍ତୁ ନିଶ୍ଚିତ ଭାବେ ପରମାଣୁ ବୋମା ତିଆରି କରିବୁ ।’ ସତକୁ ସତ ପରମାଣୁ ବୋମା ତିଆରି କରିବା ପରେ ପାକିସ୍ତାନରେ ଘାସ ଖାଇବା ସ୍ଥିତି ଉପୁଜିଛି ।

ଗତ ୧୨ ଦିନ ଧରି ପାକିସ୍ତାନର ଗିଲଗିଟ୍‌-ବଲଟିସ୍ତାନ ଇଲାକାରେ ଲକ୍ଷାଧିକ ଲୋକ ବିକ୍ଷୋଭ ପ୍ରଦର୍ଶନ କରି ଆସୁଛନ୍ତି । ଲୋକମାନେ କାରଗିଲ୍‌ ରାସ୍ତା ଖୋଲିବାକୁ ଦାବି କରୁଛନ୍ତି । ଭାରତର ଲଦାଖ ସୀମା ସହିତ ଯୋଡ଼ି ହୋଇ ରହିବାକୁ ପାକ୍‌ ସରକାରଙ୍କ ଉପରେ ଚାପ ପକାଉଛନ୍ତି ।