ଆତ୍ମଘାତୀ ହମ୍‌ଲାରେ ହକ୍କାନୀ କମାଣ୍ଡର ରହିମୁଲ୍ଲାହ ସଫା

ତାଲିବାନୀ ସରକାରରେ ଗୃହମନ୍ତ୍ରୀ ତଥା ହକ୍କାନୀ ନେଟୱାର୍କ ସଂଚାଳକ ସିରାଜୁଦ୍ଦିନ୍‌ ହକ୍କାନୀକୁ ଗୁରୁ ମଣୁଥିଲା….

କାବୁଲ: ଆଫଗାନିସ୍ତାନ ରାଜଧାନୀ କାବୁଲସ୍ଥିତ ଏକ ମଦ୍ରାସାରେ ଆତ୍ମଘାତୀ ହମ୍‌ଲାରେ ତାଲିବାନ୍‌ ଟପ୍‌ କମାଣ୍ଡର ରହିମୁଲ୍ଲାହ ହକ୍କାନୀ ପ୍ରାଣ ହରାଇଛି । ମୃତ ରହିମୁଲ୍ଲାହ ତାଲିବାନୀ ଚିନ୍ତାଧାରାକୁ ଦୃଢ଼ ସମର୍ଥନ କରୁଥିଲା । ତା’ ସହିତ ଇସ୍‌ଲାମ ଧର୍ମ ପ୍ରଚାରକ ଭାବେ ଜଣାଶୁଣା ଥିଲା । ଅବଶ୍ୟ ହକ୍କାନୀ ସଂଗଠନ ପକ୍ଷରୁ ତା’ର ମୃତ୍ୟୁ ଘୋଷଣା କରାଯାଇନି ।

ହମ୍‌ଲା ପଛରେ ଇସ୍‌ଲାମିକ୍‌ ଷ୍ଟେଟ୍‌ ଅବା ରେଜିଷ୍ଟାଂଟ୍ସ ଫୋର୍ସକୁ ଦାୟୀ କରାଯାଉଛି । ତାଲିବାନର ଗୁପ୍ତଚର ସଂସ୍ଥା ଘଟଣାର ଯାଂଚ କରୁଛି । ଗୁରୁବାର ହମ୍‌ଲାକୁ ମିଶାଇ କମାଣ୍ଡର ହକ୍କାନୀ ଉପରେ ତିନିଥର ହମ୍‌ଲା କରାଯାଇଛି । ପ୍ରଥମ ହମ୍‌ଲା ୨୦୨୦ ଅକ୍ଟୋବରରେ କରାଯାଇଥିଲା ।

ଉକ୍ତ ହମ୍‌ଲାରୁ ରହିମୁଲ୍ଲାହ ଅଳ୍ପକେ ରକ୍ଷା ପାଇଯାଇଥିଲା । ୨୦୧୩ରେ ହକ୍କାନୀ ପଟୁଆର ଉପରେ ଆକ୍ରମଣକାରୀ ଗୋଷ୍ଠୀ ଆଖିବୁଜା ଗୁଳି ଚଳାଇଥିଲା । ମାତ୍ର ପୁଲିସ ପାଲଟା ଜବାବ ଗୁଳିମାଡ଼ରେ ଆକ୍ରମଣକ।।ରୀ ଛତ୍ରଭଙ୍ଗ ଦେଇଥିଲେ । ପାକିସ୍ତାନ ସୀମାକୁ ଲାଗି ନଙ୍ଗରହାର ପ୍ରଦେଶରେ ରହିମୁଲ୍ଲାହ ହକ୍କାନୀ ଘର । ଉଭୟ ପାକିସ୍ତାନ ଓ ଆଫଗାନିସ୍ତାନରେ ହକ୍କାନୀର ଅବାଧ ଚଳପ୍ରଚଳ।

ତାଲିବାନୀ ସରକାରରେ ଗୃହମନ୍ତ୍ରୀ ତଥା ହକ୍କାନୀ ନେଟୱାର୍କ ସଂଚାଳକ ସିରାଜୁଦ୍ଦିନ୍‌ ହକ୍କାନୀକୁ ଗୁରୁ ମଣୁଥିଲା । ବିବାଦୀୟ ବୟାନ କାରଣରୁ ରହିମୁଲ୍ଲାହ ସବୁବେଳେ ଚର୍ଚ୍ଚାରେ ରହୁଥିଲା । ସୋସିଆଲ ମିଡିଆରେ ତା’ର ଲକ୍ଷାଧିକ ସମର୍ଥକ ।