ମିଳିତ ଜାତିସଂଘରେ ଚୀନ୍‌ ଦେଖାଇଲା ପାକିସ୍ତାନ୍‌ ପ୍ରେମ

ଆତଙ୍କୀ ଆଜାର ଭାରତରେ ସଂଘଟିତ ବହୁ ଆତଙ୍କୀ କାର୍ଯ୍ୟକଳାପକୁ ପରିଚାଳନା କରୁଥିଲା…..

ଜେନେଭା: ମିଳିତ ଜାତିସଂଘ ବୈଠକରେ ଚୀନ୍‌ ପୁଣିଥରେ ପାକିସ୍ତାନ ପ୍ରେମ ଦେଖାଇଛି । ପାକିସ୍ତାନୀ ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦ କମାଣ୍ଡର ଅବଦୁଲ୍‌ ରୌଫ୍‌କୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପ୍ରସ୍ତାବକୁ ଚୀନ୍‌ ଅଟକାଇ ଦେଇଛି । ମିଳିତ ଜାତିସଂଘର ୫ ସ୍ଥାୟୀ ସଭ୍ୟ ଓ ୧୦ ଜଣ ଅସ୍ଥାୟୀ ସଭ୍ୟଙ୍କ ଭିତରୁ କେବଳ ଚୀନ ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରିଛି । କିନ୍ତୁ ଅନ୍ୟ ୧୪ଟି ଦେଶ ଭାରତ ଓ ଆମେରିକା ପକ୍ଷରୁ ଆଗତ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ । ଅବଦୁଲ ରୌଫକୁ ବିଶ୍ୱ ଆତଙ୍କୀ ଘୋଷଣା କରାଯାଇଥିଲେ, ତା’ର ବିଦେଶ ଯାତ୍ରା ଓ ସମ୍ପତି ବାଜ୍ୟାପ୍ତି କରିବା ସହଜ ହୋଇଥାନ୍ତା ।

ଚୀନ୍‌ ମୁଖପାତ୍ର କହିଛନ୍ତି, ପ୍ରସ୍ତାବକୁ ଭଲ ଭାବରେ ଅଧ୍ୟୟନ ନକରି ସମର୍ଥନ କରିବା ଅନୁଚିତ । ସେଥିପାଇଁ ଆମକୁ ସମୟ ଦରକାର ଥିବାରୁ ପ୍ରସ୍ତାବକୁ ଝୁଲାଇ ରଖିଛୁ । ୨୦୧୦ରେ ଆଜାରକୁ ଆନ୍ତର୍ଜାତିକ ଆତଙ୍କୀ ଘୋଷଣା କରିବାକୁ ଆମେରିକା ପ୍ରସ୍ତାବ ଆଗତ କରିଥିଲା । ଆତଙ୍କୀ ଆଜାର ଭାରତରେ ସଂଘଟିତ ବହୁ ଆତଙ୍କୀ କାର୍ଯ୍ୟକଳାପକୁ ପରିଚାଳନା କରୁଥିଲା । ତେବେ ଆମେରିକା ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରି ଚୀନ୍‌ ବିଫଳ କରିଥିଲା ।