ବିମାନ ଛାତରୁ ପାଣି ଗଳିଲା, ଭିଜିଲେ ଯାତ୍ରୀ

ବିମାନ ଅବତରଣକୁ କେନ୍ଦ୍ର କରି ଯାତ୍ରୀମାନେ ଅଭିଯୋଗ କରିଛନ୍ତି…..

ମୁମ୍ବାଇ: ମୁମ୍ବାଇରୁ ଜବଲପୁର ଅଭିମୁଖେ ଯାଉଥିବା ସ୍ପାଇସ୍‌ଜେଟ୍‌ ବିମାନ ଛାତରୁ ପାଣି ଗଳୁଥିବାର ଭିଡିଓ ଭାଇରାଲ୍‌ ହୋଇଛି । ବିମାନର ଯାତ୍ରୀମାନେ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡ଼ିଆରେ ପ୍ରସାରଣ କରିଛନ୍ତି । ଯାତ୍ରୀମାନେ କହିଛନ୍ତି ଯେ ବିମାନର ପାଇଲଟ୍‌ ଓ ପରିଚାରିକାମାନେ ନିଜକୁ ଦାୟୀ କରି ଯାତ୍ରୀମାନଙ୍କୁ ପାଟିତୁଣ୍ଡ ନକରି ନିରବରେ ବସିବାକୁ ଅନୁରୋଧ କରିଥିଲେ । ଜବଲପୁର ନିବାସୀ କମଲ ଗ୍ରୋଭର କହିଛନ୍ତି ଯେ ସେ ବୁଧବାର ମୁମ୍ବାଇ ବିମାନ ବନ୍ଦରରୁ ଅପରାହ୍ଣ ୪ଟା ୫୫ ମିନିଟ୍‌ରେ ସ୍ପାଇସ୍‌ଜେଟ୍‌ ବିମାନ ଏସ୍‌ଜି-୩୦୦୩ରେ ବସିଲେ । ବସିବା ପୂର୍ବରୁ ସିଟ୍‌ ଓଦା ଥିବାର ଜଣାପଡ଼ିଥିଲା । ଅନ୍ୟ ଉପାୟ ନଥିବାରୁ ବାଧ୍ୟ ହୋଇ ଓଦା ସିଟ୍‌ରେ ବସିଲି । ମୋ ପରି ଅନ୍ୟ ଯାତ୍ରୀମାନେ ମଧ୍ୟ ଓଦା ସିଟ୍‌ରେ ବସି ଯାତ୍ରା କରିଥିଲେ ।

ଖାଲି ସେତିକି ନୁହେଁ, ସନ୍ଧ୍ୟା ୬ଟା ୫୫ ମିନିଟ୍‌ରେ ବିମାନଟି ଜବଲପୁରରେ ପହଂଚିବା କଥା । ମାତ୍ର ଏକଘଂଟା ବିଳମ୍ବରେ ଅର୍ଥାତ୍‌ ୭ଟା ୫୫ ମିନିଟ୍‌ରେ ବିମାନଟି ଜବଲପୁରରେ ଅବତରଣ କରିଥିଲା । ବିମାନ ଅବତରଣକୁ କେନ୍ଦ୍ର କରି ଯାତ୍ରୀମାନେ ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ହେଉଛି, ପାଇଲଟଙ୍କ ବିମାନ ଅବତରଣରୁ ତାଙ୍କର ଦକ୍ଷତାର ଅଭାବ ସ୍ପଷ୍ଟ ହୋଇଥିଲା । ରନୱେ ଉପରେ ଓହ୍ଲାଇବା ସମୟରେ ବିମାନଟି ଝଟ୍‌କା ଖାଇଥିଲା । ସୂଚନାରୁ ଜଣାଯାଇଛି ଯେ ଗତ ୧୮ ଦିନ ଭିତରେ ସ୍ପାଇସ୍‌ଜେଟ୍‌ର ୮ଟି ବିମାନରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଛି ।