ବରଯାତ୍ରୀ ବେଶରେ ପହଂଚିଲା ଆୟକର ଟିମ୍‌

୩୯୦ କୋଟିର ବେନାମୀ ସମ୍ପତି ଜବତ

କୋଡ୍‌ ୱାର୍ଡ: ଦୁଲ୍‌ହନ୍‌ ହମ୍‌ ଲେ ଜାଏଙ୍ଗେ…..

ମୁମ୍ବାଇ: ମହାରାଷ୍ଟ୍ରର ଜାଲାନାସ୍ଥିତ ପାଂଚଟି ବ୍ୟବସାୟ ଗ୍ରୁପ ଉପରେ ଅତର୍କିତ ଚଢ଼ାଉ କରି ଆୟକର ବିଭାଗ ପ୍ରାୟ ୩୯୦ କୋଟି ଟଙ୍କାର ବେନାମୀ ସମ୍ପତି ଜବତ କରିଛି । ଜବତ ସମ୍ପତି ଭିତରେ ନଗଦ ୫୮ କୋଟି ଟଙ୍କା, ୩୨ କିଲୋ ସୁନା ଅଳଙ୍କାର, ୧୬ କୋଟି ଟଙ୍କାର ହୀରା ଓ ମୋତି ଅଛି । ନଗଦ ଟଙ୍କା ଗଣିବା ପାଇଁ ଆୟକର ଅଧିକାରୀମାନେ ପ୍ରାୟ ୧୩ ଘଂଟା ସମୟ ନେଇଥିଲେ । ଏପରିକି ଟଙ୍କ ଗଣୁଗଣୁ କିଛି କର୍ମଚାରୀ ଅସୁସ୍ଥ ଅନୁଭବ କରିଥିବା ଜଣାପଡ଼ିଛି । ସୂଚନା ମୁତାବକ ଆୟକର ଟିମ ଗତ ୭ ଦିନ ଧରି ଏସ୍‌ଆର୍‌ଜେ ଷ୍ଟିଲ, କାଳିକା ଷ୍ଟିଲ, ଗୋଟିଏ ସମବାୟ ବ୍ୟାଙ୍କ, ନିବେଶକ ବିମଲ ରାଜ ବୋରା, ଡିଲର ପ୍ରଦୀପ ବୋରାଙ୍କ କାରଖାନା, ଘର ଓ ଅଫିସ ଉପରେ ଚଢ଼ାଉ କରିଥିଲେ ।

ଚଢ଼ାଉ ଶେଷ ହେବା ପରେ ଗୁରୁବାର ଆୟକର ଟିମ ପକ୍ଷରୁ ଗଣମାଧ୍ୟମକୁ ଔପଚାରିକ ଭାବେ ଜଣାଇ ଦିଆଯାଇଛି । ରୋଚକପୂର୍ଣ୍ଣ ଘଟଣା ହେଉଛି, ଆୟକର ଟିମ୍‌ ବରଯାତ୍ରୀ ବେଶ ଧାରଣ କରି ଫୁଲ ସଜା ହୋଇଥିବା ଗାଡ଼ି ଧରି ଚଢ଼ାଉ କରିଥିଲେ । ଗାଡ଼ି ଉପରେ ବିବାହ ଷ୍ଟିକର ଲଗା ଯାଇଥିଲା । କିଛି ଗାଡ଼ି ଉପରେ ଲେଖା ଯାଇଥିଲା, ‘ଦୁଲ୍‌ହନ ହମ୍‌ ଲେ ଜାଏଙ୍ଗେ ।’ ଚଢ଼ାଉ କାମରେ ୨୬୦ ଆୟକର କର୍ମଚାରୀ ସାମିଲ ହୋଇଥିଲା ବେଳେ ୧୨୦ଟି ଗାଡ଼ି ବ୍ୟବହାର କରାଯାଇଥିଲା ।

ପ୍ରଥମେ ଆୟକର ଟିମ୍‌ ହାବୁଡ଼ରେ କିଛି ପଡ଼ି ନଥିଲା । ମାତ୍ର ଜଲାନାଠାରୁ ପ୍ରାୟ ୧୭ କିମି ଦୂରରେ ଅବସ୍ଥିତ ଏକ ଫାର୍ମ ହାଉସ୍‌ ଉପରେ ଚଢ଼ାଉ କରିଥ୍‌ôଲେ । ଫାର୍ମ ହାଉସ୍‌ରେ ପ୍ରାୟ ୩୫ଟି ବ୍ୟାଗରେ ଟଙ୍କା ରଖାଯାଇଥିଲା । ଟଙ୍କାଗୁଡ଼ିକୁ ସ୍ଥାନୀୟ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାକୁ ନିଆଯାଇଥିଲା । ଟଙ୍କା ଗଣିବା ପାଇଁ ୧୦ରୁ ୧୨ଟି ମେସିନ୍‌ ବ୍ୟବହାର କରାଯାଇଥିଲା ।