ଉତ୍ତର ପ୍ରଦେଶରେ ହାଇ ଆଲର୍ଟ ଜାରି

ୟୁପି : ଉତ୍ତର ପ୍ରଦେଶରେ ଆତଙ୍କବାଦୀ ଆକ୍ରମଣ ନେଇ ଗୁଇନ୍ଦା ଖବର ମିଳିବା ପରେ ହାଇ ଆଲର୍ଟ ଜାରି କରାଯାଇଛି । ରେଳ ଷ୍ଟେସନ, ଜନଗହଳିପୂର୍ଣ୍ଣ ସ୍ଥାନ, ମନ୍ଦିର ଏବଂ ପାର୍କ ଆଦି ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ରେଳ ବିଭାଗକୁ ଆସିଥିବା ଧମକପୂର୍ଣ୍ଣ ଚିଠିରେ ରେଳ ଷ୍ଟେସନ ସମେତ ଅନ୍ୟ କିଛି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହେବାକୁ ଯାଉଛି ବୋଲି ଉଲ୍ଲେଖ ରହିଥିଲା । ଏହି ଧମକ ମିଳିବା ପରେ ପ୍ରମୁଖ ରେଳ ଷ୍ଟେସନ ସମେତ ମନ୍ଦିରଗୁଡିକରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧିୁ କରାଯାଇଛି ।

ଦୀପାବଳି ଅବସରରେ ଆତଙ୍କବାଦୀଙ୍କ ନାଁରେ ଆସିଥିବା ଧମକପୂର୍ଣ୍ଣ ଚିଠି ପୋଲିସ ଏବଂ ସୁରକ୍ଷା ଏଜେନ୍ସିର ନିଦ ହଜାଇଦେଲାଣି । ଏୟାରପୋର୍ଟ, ବସ୍‌ଷ୍ଟାଣ୍ଡ ସମେତ ସ୍ଥାନରେ ବୋମା ନିଷ୍କ୍ରିୟକାରୀ ଟିମ ସଜାଗ ରହିଛନ୍ତି । ଚିଠିରେ ଆସନ୍ତା ନଭେମ୍ବର ୨୬ରେ ବହୁ ରେଳ ଷ୍ଟେସନ ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବୋମା ବିସ୍ଫୋରଣର ଧମକ ଦିଆଯାଇଥିଲା । ଏହାସହ ବାରାଣାସୀ ସମେତ ୟୁପିର ୪୬ଟି ରେଳ ଷ୍ଟେସନକୁ ବିସ୍ଫୋରଣରେ ଉଡାଇକୁ ଧମକ ମିଳିଛି । ଉତ୍ତର ପ୍ରଦେଶର ବିଭିନ୍ନ ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । ସିଆରପିଏଫ, ଆରପିଏଫ ଏବଂ ଡଗସ୍କ୍ୱାଡ ଯାଞ୍ଚରେ ଲାଗିପଡିଛନ୍ତି । ସମସ୍ତ ଟ୍ରେନ ଏବଂ ଯାତ୍ରୀଙ୍କ ଜିନିଷପତ୍ର ଯାଞ୍ଚ କରାଯାଉଛି । ଏହା ସହ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସିଆରପିଏଫ୍‌ ଏବଂ ଆରପିଏଫ ଯବାନଙ୍କୁ ମୁତୟନ କରାଯାଇଛି ।