ଭାରତ-ରୁଷ ମଧ୍ୟରେ ବଢିବ ସାମରିକ ଶକ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ହାଇଦ୍ରାବାଦ୍‌ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ମଧ୍ୟରେ ଆଲୋଚନାରେ ଦୁଇ ଦେଶ ଭିତରେ ସଂପର୍କ ମଜଭୁତ ହୋଇଛି । ଭାକସିନ୍‌ ପରୀକ୍ଷଣ ଏବଂ ଉତ୍ପାଦନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କିଛିବର୍ଷ ଭିତରେ ନୂଆ ସମୀକରଣ ସାମ୍ନାକୁ ଆସିଛି । ଏହା ଭିତରେ ଭାରତ-ରୁଷ ମଧ୍ୟରେ ସଂପର୍କ ସୁଦୃଢ଼ ହୋଇଛି ।

ଆର୍ଥିକ ସଂପର୍କ ବୃଦ୍ଧି ନେଇ ଭାରତ ଦୀର୍ଘମିଆଦି ରଣନୀତି ଉପରେ ଜୋର ଦେଉଛି । ୨୦୨୫ ସୁଦ୍ଧା ୩୦ ଅରବ ଡଲାର ବ୍ୟବସାୟ ଏବଂ ୫୦ ଅରବ ଡଲାର ନିବେଶ ଲକ୍ଷ୍ୟ ରଖାଯାଇଥିବା ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ସେହିପରି ରୁଷ ସହ ପ୍ରତିରକ୍ଷା ସଂପର୍କ ବଢ଼ାଇବୁ ବୋଲି ମୋଦି କହିଛନ୍ତି । ଅନ୍ୟପକ୍ଷରେ ପୁଟିନ୍‌ କହିଛନ୍ତି ଯେ, ରୁଷର ଦୀର୍ଘସ୍ଥାୟୀ ଏବଂ ନିର୍ଭରଯୋଗ୍ୟ ବନ୍ଧୁ ଭାରତ । ଦୁଇ ଦେଶର ସାମରିକ ସହଯୋଗ ବଢ଼ାଯିବ । ଭାରତ ସହ ବାଣିଜ୍ୟ ୩୮ ପ୍ରତିଶତ ବୃଦ୍ଧି କରାଯିବ ବୋଲି ପୁଟିନ୍‌ କହିଛନ୍ତି । ଏହାମଧ୍ୟରେ ପ୍ରତିରକ୍ଷା-ଶକ୍ତି ଏବଂ ପ୍ରଯୁକ୍ତିବିଦ୍ୟା ଆଦି ପ୍ରସଙ୍ଗ ବିଷୟରେ ଆଲୋଚନା ହୋଇଛି । ଭାରତ-ରୁଷ ମଧ୍ୟରେ ସାମରିକ ସହଯୋଗ ଚୁକ୍ତି ସହ ୨୮ଟି ରାଜିନାମା ସ୍ୱାକ୍ଷର ହୋଇଥିବା ଜଣାପଡିଛି ।