ମାରି ନେଉଛନ୍ତି ଧନୀଦେଶ: ଗରିବ ଦେଶ ଜଳକା

ରୋଜଗାରିଆକୁ ପଲାଉ, ଭୋକରେ ଦେବାଳିଆ ..

ବସୁଧୈବ କୁଟୁମ୍ବକମ୍‌ । ସାରା ବିଶ୍ୱଟା ଗୋଟିଏ ପରିବାର । ପରିବାରରେ ରୋଜଗାରିଆ ପୁଅକୁ ସବୁଠାରୁ ଅଧିକ ସୁବିଧା ସୁଯୋଗ ମିଳୁଛି; କିନ୍ତୁ ନିକମା ପୁଅକୁ ଅବହେଳିତ ଦୃଷ୍ଟିରେ ଦେଖାଯାଉଛି, ଏ ପ୍ରକାର ଆକ୍ଷେପ କରିଛନ୍ତି ମିଳିତ ଜାତିସଂଘ ମୁଖ୍ୟ ଆଂଟୋନିଓ ଗୁଟେରସ । ବିଶ୍ୱବ୍ୟାଙ୍କ ଓ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଭଳି ଦୁଧିଆଳି ଗାଈକୁ ଲାଳନ ପାଳନ କରୁଛନ୍ତି ଧନୀ ରାଷ୍ଟ୍ରମାନେ । ତେଣୁ ତା’ର ସବୁ ଫାଇଦା ଧନୀ ରାଷ୍ଟ୍ରଗୁଡ଼ିକ ଉଠାଇବା ସ୍ୱାଭାବିକ । ପରିବାରରେ ଚାଲାକ ପୁଅଟାକୁ ସମସ୍ତେ ମୁଣ୍ଡରେ ବସାଇଲେ ଯୋଉ ଅବସ୍ଥା ଭୋଗିବାକୁ ପଡେ଼, ଗରିବ ରାଷ୍ଟ୍ରଗୁଡ଼ିକ ଏବେ ସେହି ଦଶା ଭୋଗୁଛନ୍ତି । ଏଭଳି ପକ୍ଷପାତ ଆଦୌ ଗ୍ରହଣୀୟ ନୁହେଁ ବୋଲି ଗୁଟେରସ କ୍ଷୋଭର ସହ କହିଛନ୍ତି । ଏମିତି ଦେଖିଲେ ମିଳିତ ଜାତିସଂଘର ଅଧିକାଂଶ ସଭ୍ୟ ରାଷ୍ଟ୍ର ବିଶ୍ୱବ୍ୟାଙ୍କ ଓ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମଏଫ) ନିକଟରେ ଜମାଖାତା ଖୋଲିଛନ୍ତି । ମାତ୍ର ସେମାନଙ୍କର ଜମାରାଶି ଅତି କମ୍‌ ହୋଇଥିବାରୁ ସେମାନଙ୍କୁ ଅଧିକ ପ୍ରୋତ୍ସାହନ ଦେବାକୁ ଦୁଇ ଦୁଧିଆଳି ଗାଈ ମନା କରୁଛନ୍ତି । ଏହି ଦୁଇଟି ସଂସ୍ଥାର ଆଭିମୁଖ୍ୟ ବଦଳାଇବା ପ୍ରତି ଗୁରୁତ୍ୱାରୋପ କରିଛନ୍ତି ମିଳିତ ଜାତିସଂଘ ମୁଖ୍ୟ ଗୁଟେରସ୍‌ ।

କରୋନା ମହାମାରୀ ପ୍ରଭାବରୁ ବିଶ୍ୱକୁ ଉଦ୍ଧାର କରିବା ଦିଗରେ ଉଭୟ ବିଶ୍ୱବ୍ୟାଙ୍କ ଓ ଆଇଏମଏଫ ବିଫଳ ହୋଇଛନ୍ତି । ପରିଣାମ ସ୍ୱରୂପ ଆର୍ଥିକ ଦୁର୍ବଳ ରାଷ୍ଟ୍ରଗୁଡ଼ିକ ଋଣଭାରରେ ବୁଡ଼ି ଯାଇଛନ୍ତି । ବିଶ୍ୱବ୍ୟାଙ୍କ ଓ ଆଇଏମଏଫର ପକ୍ଷପାତ ନୀତିକୁ ତୀବ୍ର ସମାଲୋଚନା କରିଛନ୍ତି ଗୁଟେରସ । ଦୁଇ ସଂସ୍ଥାର ଆର୍ଥିକ ଢାଂଚାରେ ସୁଧାର ଆଣିବା ପାଇଁ ଗୁଟେରସ ଆହ୍ୱାନ କରିଛନ୍ତି ।

ଗୁଟେରସ ଏହା ମଧ୍ୟ କହିଛନ୍ତି ଯେ ବିଶ୍ୱ ଅଭିବୃଦ୍ଧିର ଫାଇଦା ଆଇଏମଏଫ ଓ ବିଶ୍ୱବ୍ୟାଙ୍କ ପାଇନାହାନ୍ତି । ବିଶ୍ୱବ୍ୟାଙ୍କ ନିକଟରେ ୨୨୦୦ କୋଟି ଡଲାର ଜମାରାଶି ରହିଛି ଯାହା ସରକାରୀ କାର୍ଯ୍ୟକ୍ରମ ପାଇଁ ଅନୁଦାନ ଓ ଅଳ୍ପ ସୁଧହାରରେ ଋଣ ଦେବାକୁ ଉଦ୍ଦିଷ୍ଟ । ବହୁ ବିକାଶଶୀଳ ଦେଶ ଏବେ ଘୋର ଆର୍ଥିକ ସଂକଟ ଭିତରେ ଅଛନ୍ତି । ବିଶେଷ କରି ଉଚ୍ଚସୁଧ ହାର, ଦରଦାମ ବୃଦ୍ଧି ଓ ମୋଟା ଅଙ୍କର ଋଣରାଶି ସେମାନଙ୍କୁୁ ଘାଂଟୁଛି । କିଛି ଦେଶ ନିଜ କର୍ମଚାରୀଙ୍କୁ ଦରମା ଦେଇ ପାରୁନାହାନ୍ତି । ଋଣ ପରିଶୋଧ ନକରିବା ଫଳରେ ସେମାନଙ୍କ କ୍ରେଡିଟ୍‌ ରେଟିଂ ଦୟନୀୟ ସ୍ଥିତିରେ ରହିଛି ।

ଗୁଟେରସ କହିଛନ୍ତି, ସାରା ବିଶ୍ୱକୁ କରୋନା ମହାମାରୀ କଲବଲ କରୁଥିବା ସମୟରେ ଆଇଏମଏଫ କେବଳ ଧନୀ ଦେଶଗୁଡ଼ିକ ପ୍ରତି ଅଧିକ ଅନୁକମ୍ପା ଦେଖାଇଛି । ଜି-୭ ଅନ୍ତର୍ଭୁକ୍ତ ଦେଶଗୁଡ଼ିକରେ ୭୭.୨ କୋଟି ଲୋକ ବାସ କରୁଥିବା ବେଳେ ସେମାନଙ୍କୁ ଦିଆଯାଇଛି ୨୮୦୦୦ କୋଟି ଡଲାର ସହାୟତା । କିନ୍ତୁ ୧୧୦ କୋଟି ବାସ କରୁଥିବା ଦେଶକୁ ଦିଆଯାଇଥିଲା ମାତ୍ର ୮୦୦ କୋଟି । ବିଶ୍ୱବ୍ୟାଙ୍କ ଓ ଆଇଏମଏଫର ଏଭଳି ଚିନ୍ତାଧାରାକୁ ବଦଳାଇବାକୁ ପଡ଼ିବ ଓ ଉଭୟ ସଂସ୍ଥାରେ ବିକାଶଶୀଳ ଦେଶଗୁଡ଼ିକର ପ୍ରତିନିଧିତ୍ୱ ବଢ଼ାଇବାକୁ ଗୁଟେରସ୍‌ ପରାମର୍ଶ ଦେଇଛନ୍ତି ।

ସବୁଠାରୁ ବଡ଼ ଭୁଲ ହେଉଛି ବିଶ୍ୱବ୍ୟାଙ୍କର ମୁଖିଆ ପଦରେ ଜଣେ ଆମେରିକୀୟଙ୍କୁ ନିଯୁକ୍ତ କରୁଛନ୍ତି ଆମେରିକା ରାଷ୍ଟ୍ରପତି । ଆଇଏମଏଫ ମୁଖିଆ ପଦବୀ ପାଇଁ ୟୁରୋପର ଜଣେ ନାଗରିକଙ୍କୁ ନିଯୁକ୍ତ କରୁଛି ୟୁରୋପୀୟ ମହାସଂଘ । ଫଳରେ ଦୁଇଟି ସଂସ୍ଥାକୁ କବଳିତ କରି ରଖିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପୀୟ ମହାସଂଘ । ଅନ୍ୟ ଦେଶଗୁଡ଼ିକ ମୁଣ୍ଡ ଗଣତି ପାଇଁ ଅଛନ୍ତି । ପାଣ୍ଠି ସହାୟତା ଦେବାରେ ଉଭୟ ବ୍ୟାଙ୍କ ପକ୍ଷପାତିତା କରୁଥିବାର ଅଭିଯୋଗ କରି ଆସୁଛନ୍ତି ବିକାଶଶୀଳ ଦେଶ ସମୂହ ।