ଆସନ୍ତାବର୍ଷ ଆୟୋଜନ ହେବ କୁମ୍ଭମେଳା!-shaksinews

ହରିଦ୍ୱାର: ଆୟୋଜନ ହେବ କୁମ୍ଭମେଳା । ଆସନ୍ତାବର୍ଷ ପ୍ରସିଦ୍ଧ ହରିଦ୍ୱାରରେ କୁମ୍ଭମେଳା ଆୟୋଜନ ହେବ ବୋଲି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ସୂଚନା ଦେଇଛନ୍ତି।

କୁମ୍ଭମେଳା ସମ୍ପର୍କରେ ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀ ରାୱତ ରବିବାର ଅଖିଳ ଭାରତୀୟ ଆଖଡ଼ା ପରିଷଦ(ଏବିଏପି)ର ସଦସ୍ୟଙ୍କ ସହ ବୈଠକ କରିଥିଲେ। ଆସନ୍ତାବର୍ଷ ଜାନୁଆରୀ ୧୪ରୁ କୁମ୍ଭମେଳା ଆରମ୍ଭ ହେବ। ବୈଠକ ପରେ ମୁଖ୍ୟମନ୍ତ୍ରୀ ରାୱତ କହିଛନ୍ତି, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୁମ୍ଭମେଳା କେଉଁ ଭଳି ଭାବେ ଆୟୋଜନ କରାଯିବ, ତା’ ଉପରେ ନିଷ୍ପତ୍ତି ହେବ। ଏବିଏପି ଓ ଅନ୍ୟ ଧର୍ମଗୁରୁଙ୍କ ପରାମର୍ଶକୁ ମଧ୍ୟ ବିଚାରକୁ ନିଆଯିବ। ସେତେବେଳେ ସ୍ଥିତି ଯାହା ବି ଥିବ, ସେହି ଅନୁସାରେ ସରକାର ସବୁ ପ୍ରକାରର ବ୍ୟବସ୍ଥା କରିବେ।

ଶ୍ରଦ୍ଧାଳୁମାନେ ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ, ତା’ର ସମସ୍ତ ବ୍ୟବସ୍ଥା ରାଜ୍ୟ ସରକାର କରିବେ। କୁମ୍ଭମେଳା ଅଫିସର ଦୀପକ ରାୱତ କହିଛନ୍ତି, ଅଧିକାଂଶ କାମ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଡିସେମ୍ବର ୧୫ ସୁଦ୍ଧା ସବୁ ସରି ଯାଇଥିବ। ନୂଆ କରି ୯ଟି ଘାଟ, ୮ଟି ବ୍ରିଜ୍ ଓ ରାସ୍ତା କାମ କୁମ୍ଭମେଳା ପାଇଁ କରାଯାଉଛି। ପରିଷ୍କାର ପରିଚ୍ଛନ୍ନ ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ପାର୍କିଂଠାରୁ ଆରମ୍ଭ କରି ଜବରଦଖଲ ଉଚ୍ଛେଦ ମଧ୍ୟ କରାଯାଉଥିବା ସେ କହିଛନ୍ତି।