ଲୋମଟାଙ୍କୁରା ଘଟଣା: ମସ୍କୋ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆତଙ୍କୀ ହମ୍‌ଲା, ପଲକ ମାତ୍ରକେ ଚାଲିଗଲା ୬୦ ଜୀବନ

ମସ୍କୋ: ଶୁକ୍ରବାର ରାତିରେ ମସ୍କୋରେ ଚାଲିଥିବା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନରେ ଆତଙ୍କୀମାନେ ହଠାତ୍‌ ଗୁଳିକାଣ୍ଡ ଘଟାଇବାରୁ ଅନ୍ୟୁନ ୬୦ ଜଣଙ୍କର ପ୍ରାଣହାନି ଘଟିଛି । ୧୪୫ରୁ ଅଧିକ ଲୋକ ଅଳ୍ପେବହୁତ ଖଣ୍ଡିଆଖାବରା ହୋଇଛନ୍ତି ।

ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ନିଜକୁ ଦାୟୀ କରିଛି । ସୂଚନା ମୁତାବକ ପଶ୍ଚିମ ମସ୍କୋ ଅନ୍ତର୍ଗତ କ୍ରୋକସ ନଗରୀରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଗୋଟିଏ ଆତଙ୍କୀ ଦଳ ସେଠାରେ ପହଂଚି ଅତର୍କିତ ଗୁଳି ଚଳାଇଥିଲେ । ଗୁଳି ଶବ୍ଦ ଶୁଣି ଲୋକମାନେ ଜୀବନ ବଂଚାଇବା ପାଇଁ ସଂପୃକ୍ତ ସ୍ଥାନରୁ ପଳାୟନ କରିଥିଲେ । ଆତଙ୍କୀ ବନ୍ଧୁକରୁ ନିରବଚ୍ଛିନ୍ନ ଗୁଳି ଓ ଠେଲାପେଲା ଭିତରେ ବହୁ ଲୋକ ମୃତାହତ ହୋଇଛନ୍ତି । ଆତଙ୍କୀ ହମ୍‌ଲା ସମୟର ଭିଡିଓ ଚିତ୍ର ସୋସିଆଲ ମିଡିଆରେ ପ୍ରସାରଣ କରାଯାଇଛି ।

ରୁଷିଆ ପୁଲିସ କହିଛି, କିଛି ଅଜଣା ଆତତାୟୀ ସଂପୃକ୍ତ ବର୍ବରୋଚିତ କାଣ୍ଡ ଘଟାଇଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଉକ୍ତ ହମ୍‌ଲାରେ ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷକ ବ୍ୟାଣ୍ଡ ଦଳର କୌଣସି ସଭ୍ୟ କ୍ଷତିଗ୍ରସ୍ତ ହୋଇନାହାନ୍ତି ।