ଆମେରିକାରେ ତୁଷାରଝଡ଼ ତାଣ୍ଡବ, ୬୦ରୁ ଅଧିକ ମୃତ

ଗତ ୨୪ ଘଂଟା ଭିତରେ ୩ ହଜାର ବିମାନର ଉଡାଣ ବାତିଲ କରାଯାଇଛି….

ୱାଶିଂଟନ: ଆମେରିକାରେ ତୁଷାରଝଡ଼ର ଭୟଙ୍କର ଚେହେରା ଦେଖିବାକୁ ମିଳିଛି । ନ୍ୟୁୟର୍କ ସିଟି ଉପରେ ୮ ଫୁଟ ଉଚ୍ଚର ବରଫ ଚାଦର । ଘରଦ୍ୱାର, ରାସ୍ତାଘାଟ, ବାଡ଼ି ବଗିଚା ସଂପୂର୍ଣ୍ଣ ଧଳା ଦେଖାଯାଉଛି । ଯାନବାହନ ଉପରେ ଢାଙ୍କି ରହିଛି ବରଫ । ତୁଷାରଝଡ଼ ପ୍ରଭାବରେ କେବଳ ନ୍ୟୁୟର୍କ ସିଟିରେ ୨୮ରୁ ଅଧିକ ଲୋକ ମଲେଣି । ପ୍ରକୃତିର ତାଣ୍ଡବ ନିକଟରେ ଶକ୍ତିଶାଳୀ ଆମେରିକା ନଇଁଯାଇଛି । ୬୫ ଲକ୍ଷ ଲୋକଙ୍କ ନିକଟରେ ବିଜୁଳି ନାହିଁ କି ପାଣି ନାହିଁ ।

ସୁବିଧାବାଦୀ ଲୋକମାନେ ଲୁଟପାଟ ଆରମ୍ଭ କରି ଦେଇଛନ୍ତି । ଆମେରିକାର ୫୦ଟି ରାଜ୍ୟ ଭିତରୁ ୪୮ଟି ରାଜ୍ୟକୁ ତୁଷାରଝଡ଼ ଦଖଲ କରିଛି । ଗତ ୨୪ ଘଂଟା ଭିତରେ ୩ ହଜାର ବିମାନର ଉଡାଣ ବାତିଲ କରାଯାଇଛି । ୩୮୦୯ ବିମାନର ଉଡ଼ାଣ ବିଳମ୍ବିତ ହୋଇଛି । ଆରିଜୋନାରେ ତିନିଜଣ ଭାରତୀୟ ନାରାୟଣ ମୁଦ୍ଦନା (୪୯), ଗୋକୁଳ ମେଦିସେତୀ (୪୭) ଓ ହରିଥା ମୁଦ୍ଦନା ଉଡ୍‌ କେନୋନ୍‌ ହ୍ରଦ ଉପରେ ଚଲାବୁଲା କରୁଥିଲେ ।

ବରଫ ଚାଦର ଧସିଯିବାରୁ ତିନିଜଣ ଯାକ ଶୋଚନୀୟ ଭାବେ ମୃତ୍ୟୁବରଣ କରିଛନ୍ତି । ଏଣ୍ଡେଲ ଟେଲର ନାମକ ୨୩ ବର୍ଷୀୟ ଯୁବକ ଘରକୁ ଫେରୁଥିବା ସମୟରେ ତୁଷାରଝଡ଼ କବଳରେ ପଡ଼ିଗଲେ । ତାଙ୍କ ଗାଡ଼ିର ଚାରିପଟେ ତୁଷାର ଜମୁଥିବା ସମୟରେ ଟେଲର ଘରଲୋକଙ୍କ ସହ ଶେଷଥର ପାଇଁ ଭିଡିଓ କଲ କରିଥିଲେ ।

ଭିଡିଓ କଲରେ ତୁଷାରଝଡ଼ର କରାଳ ଚେହେରା ସ୍ପଷ୍ଟ ଦେଖିବାକୁ ମିଳିଥିଲା ।୧୮ ଘଂଟା ପରେ ତାଙ୍କର ମୃତଦେହକୁ କାର ଭିତରୁ ଉଦ୍ଧାର କରାଯାଇଛି । କେତେକ ସ୍ଥାନରେ ଜମିଥିବା ବରଫ ତଳୁ ଲୋକଙ୍କର ପ୍ରାଣହୀନ ଶରୀରକୁ ଉଦ୍ଧାର କରାଯାଇଛି । ଏବେମଧ୍ୟ ତୁଷାରଝଡ଼ର ପ୍ରକୋପ ଥମିନାହିଁ । ଲୋକମାନେ ଭୟ ଓ ଆତଙ୍କର ବାତାବରଣ ଭିତରେ ରହୁଛନ୍ତି ।