ବଳପୂର୍ବକ ଧର୍ମାନ୍ତର ମାମଲାରେ କେନ୍ଦ୍ରକୁ ନୋଟିସ୍‌

ନଭେମ୍ବର ୨୮ରେ ପରବର୍ତୀ ଶୁଣାଣି….

ନୂଆଦିଲ୍ଲୀ: ଦେଶରେ ଚାଲିଥିବା ବଳପୂର୍ବକ ଧର୍ମାନ୍ତରଣ ବ୍ୟବସ୍ଥା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସୋମବାର ଏକ ମାମଲାର ବିଚାର ସମୟରେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି, ଜୋର ଜବରଦସ୍ତ ଧର୍ମ ପରିବର୍ତନ କେବଳ ଜଣେ ବ୍ୟକ୍ତିଙ୍କର ଧାର୍ମିକ ସ୍ୱାଧୀନତା ପ୍ରତି ହସ୍ତକ୍ଷେପ ନୁହେଁ ବରଂ ଦେଶର ସୁରକ୍ଷା ପ୍ରତି ମହାବିପଦ । କୌଣସି ପରିସ୍ଥିତିରେ କାହାକୁ ଡରାଇ ଧମକାଇ ବା ପ୍ରଲୋଭିତ କରି ଧର୍ମ ପରିବର୍ତନକୁ ପ୍ରଶ୍ରୟ ଦିଆଯାଇ ପାରିବନି ।

ଜଷ୍ଟିସ୍‌ ଏମ୍‌ଆର ଶାହ ଓ ଜଷ୍ଟିସ୍‌ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ବଳପୂର୍ବକ ଧର୍ମାନ୍ତରଣ ମାମଲାର ବିଚାର କରୁଥିବା ସମୟରେ ଦେଶରେ ଧର୍ମାନ୍ତରଣ ପ୍ରକ୍ରିୟା ବନ୍ଦ କରିବା ପାଇଁ ସରକାର କେଉଁ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି । ଧର୍ମାନ୍ତରଣ କରୁଥିବା ସଂସ୍ଥା ବା ଗୋଷ୍ଠୀ ବିରୋଧରେ କେଉଁ ପ୍ରକାର ଦଣ୍ଡ ବିଧାନ ବ୍ୟବସ୍ଥା କରିଛନ୍ତି, ସେ ସଂପର୍କରେ ରିପୋର୍ଟ ଦାଖଲ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ପଠାଯାଇଛି । ନଭେମ୍ବର ୨୮ ତାରିଖ ସୁଦ୍ଧା କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିବେ ।

ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ସୁପ୍ରିମକୋର୍ଟରେ ଏକ ଧର୍ମାନ୍ତରଣ ମାମଲା ଆଗତ କରି ବଳପୂର୍ବକ ଧର୍ମାନ୍ତର ପ୍ରକ୍ରିୟା ରୋକିବା ପାଇଁ ସରକାର ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରି ଆଇପିସି ଧାରାରେ ଦଣ୍ଡ ବିଧାନ ବ୍ୟବସ୍ଥା କରନ୍ତୁ ବୋଲି ସୁପ୍ରିମକୋର୍ଟଙ୍କ ଜରିଆରେ କେନ୍ଦ୍ର ସରକାରଙ୍କୁ ପ୍ରାର୍ଥନା କରିଛନ୍ତି ।