ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି ହେଲେ ଏଲଆଇସିର ଅଧ୍ୟକ୍ଷ

ନୂଆଦିଲ୍ଲୀ : ଜାତୀୟ ସ୍ତରରେଚମକିଲେ ଆଉ ଜଣେ ଓଡ଼ିଆ । ଆଉ ଜଣେ ଓଡ଼ିଆ ଏକ ପ୍ରତିଷ୍ଠିତ ଅନୁଷ୍ଠାନର ନେତୃତ୍ବ ନେବାକୁ ଯାଉଛନ୍ତି । ସେ ହେଉଛନ୍ତି ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି । ତାଙ୍କୁ ଦେଶର ବୃହତ୍ତମ ବୀମା କମ୍ପାନି ଏଲଆଇସିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ସେ ଏବେ ଏଲଆଇସିର ଅନ୍ତରୀଣ ଅଧ୍ୟକ୍ଷ ତଥା ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଅଛନ୍ତି । ଆସନ୍ତା ବର୍ଷ ଜୁନ ପର୍ୟ୍ୟନ୍ତ ତାଙ୍କର କାର୍ୟ୍ୟକାଳ ରହିବ ।

ଭାରତ ସରକାରଙ୍କ ଏଫଏସଆଇବି ( ଫାଇନାନ୍ସିଆଲ ସର୍ଭିସେସ ଇଷ୍ଟିଚ୍ୟୁସନ୍ସ ବ୍ୟୁରୋ) ପକ୍ଷରୁ ଅଧ୍ୟକ୍ଷ ପଦ ପାଇଁ ମହାନ୍ତିଙ୍କ ନାମ ସୁପାରିଶ କରାଯାଇଥିଲା । ଏହାକୁ ଭାରତ ସରକାର ଗ୍ରହଣ କରିଛନ୍ତି । ଏଫଏସଆଇବି ହେଉଛି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅଧିନରେ ଥିବା ଏକ ସ୍ବୟଂ ଶାସିତ ସଂସ୍ଥା ଯାହାକି ରାଷ୍ଟ୍ରାୟତ୍ତ ଆର୍ଥିକ ସଂସ୍ଥା ଓ ବ୍ୟାଙ୍କଗୁଡ଼ିକର ସର୍ବୋଚ୍ଚ ପଦଗୁଡ଼ିକ ଚୟନ କରିଥାଏ । ୧୯୮୫ରେ ଏଲଆଇସିରେ ଯୋଗ ଦେଇଥିବା ଶ୍ରୀ ମହାନ୍ତିଙ୍କୁ ଗତ ୨୦୨୧ ଫେବ୍ରୁଆରିରେ ଏଲଆଇସିର ପରିଚାଳନା ନିର୍ଦ୍ଦେଶକ ନିଯୁକ୍ତ କରାଯାଇଥିଲା । ଶ୍ରୀମହାନ୍ତି ଉତ୍କଳ ବିଶ୍ବ ବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ।