ମୁଖ୍ୟ ପ୍ରତିବନ୍ଧକ, ଆତ୍ମଗ୍ଳାନି

ଦିଲ୍ଲୀ-ଗସ୍ତ କାଳରେ ଥରେ ମହମ୍ମଦ କରୀମ ଛାଗଲାଙ୍କ ….

ଦିଲ୍ଲୀ-ଗସ୍ତ କାଳରେ ଥରେ ମହମ୍ମଦ କରୀମ ଛାଗଲାଙ୍କ ସହିତ ଭେଟ ହୋଇଥିଲା । ସେ ସମୟରେ ସେ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଥିଲେ । କିଛି ସମୟ ପୂର୍ବେ ସେ ରୁଷ ଗସ୍ତ କରି ଫେରିଥିଲେ । ସେଠାରେ ତାଙ୍କର ଅନୁଭବ ବର୍ଣ୍ଣନାକରି ସେ କହିଲେ ଯେ ସେଠାକାର ଯୁବକମାନେ ଜୀବନର ସବୁକ୍ଷେତ୍ରରେ ନିଜର ସର୍ବଶ୍ରେଷ୍ଠତା ପ୍ରମାଣିତ କରିବାର ମହତ୍ତ୍ୱକାଂକ୍ଷାରେ ଅନୁପ୍ରାଣିତ ଅଛନ୍ତି ଏବଂ ନିଜର ଅଧ୍ୟୟନ ପ୍ରତି ବିଶେଷ ଭାବେ ଗମ୍ଭୀର । ସେ ଜିଜ୍ଞାସାବଶତଃ ମୋତେ ପଚାରିଲେ ‘ମୁଁ ବୁଝିପାରୁ ନାହିଁ, ଆମ ଦେଶର ଯୁବକମାନଙ୍କ ଭିତରେ କ’ଣ ଅଭାବ ଅଛି ? କାହିଁକି ସେମାନେ ହରତାଳ, ଅନୁଶାସନହୀନତା ଏବଂ ନାନାଦି ଗଣ୍ଡଗୋଳରେ ସଂପୃକ୍ତ ହେଉଛନ୍ତି ? କିନ୍ତୁ ମୋତେ ଏପରି ଆଭାସ ମିଳୁଛି ଯେ ଆପଣଙ୍କ ସଂଗଠନର ଯୁବକମାନେ ଅନୁଶାସିତ ଏବଂ ସମର୍ପିତ । ଆପଣ କ’ଣ ଆମ ଦେଶର ଯୁବକମାନଙ୍କ ସମସ୍ୟାର କିଛି ନିଦାନ ପ୍ରସ୍ତୁତ କରି ପାରିବେ ?

ତାଙ୍କ କଥା ଶୁଣି ମୁଁ ତାଙ୍କୁ ପଚାରିଲି, ‘ଆପଣଙ୍କ କହିବା ପୂରାପୂରି ଠିକ । ମାତ୍ର ଆପଣମାନେ ଆମ ଛାତ୍ରମାନଙ୍କ ସମ୍ମୁଖରେ କୌଣସି ମହାନ୍ ଆଦର୍ଶ ରଖୁଛନ୍ତି କି ? ଉତ୍ତର ଦେଇ ସେ କହିଲେ, ‘ଆମେ ଯେ ସେପରି କିଛି କରିନାହୁଁ ତାହା ମୁଁ ସ୍ଵୀକାର କରୁଛି ।’ ମୁଁ ତାଙ୍କୁ କହିଲି, ‘ପ୍ରେରଣାପ୍ରଦ ଉତ୍ତମ ଆଦର୍ଶ ଅଭାବ ଥିବାବେଳେ, ଆମ ଛାତ୍ରମାନେ ଜୀବନର ମୂଲ୍ୟବୋଧଗୁଡ଼ିକ ପ୍ରତି ସମର୍ପିତହୋଇ ଅନୁଶାସନକୁ ଆତ୍ମସାତ୍ କରିବେ ବୋଲି ଆମେ ଆଶା କିପରି କରୁଛୁ ? ଉଚ୍ଚ ଆଦର୍ଶବାଦ ହିଁ ଏପରି ଏକ ବିଷୟ ଯେଉଁଥିରୁ ପ୍ରେରଣା ସଂଗ୍ରହକରି ସେମାନେ ଉଗ୍ର ଆବେଗକୁ ସଂଯମିତ କରି ନିଜର ଉଛୁଳି ପଡୁଥିବା ଶକ୍ତିକୁ ରାଷ୍ଟ୍ର ନିର୍ମାଣ ରୂପୀ ଗଠନମୂଳକ କାର୍ଯ୍ୟ ଆଡ଼କୁ ମୁହାଁଇ ଦେଇପାରନ୍ତି ।

ଏହି ରାଷ୍ଟ୍ରୀୟ ଆଦର୍ଶବାଦକୁ ହୃଦୟଙ୍ଗମ କରିବାର କାର୍ଯ୍ୟ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକରେ ସତ୍ୟ ଇତିହାସ ପଠନରୁ ଆରମ୍ଭ କରିବାକୁ ହେବ । ଆମକୁ ଆମ ପିଲାମାନଙ୍କୁ ଏକଥା ଶିଖାଇବାକୁ ହେବ ଯେ, ଯେଉଁ ଭୂମିରେ ସେମାନଙ୍କର ଜନ୍ମ ହୋଇଛି ତା’ର ପରମ୍ପରା ଅତ୍ୟନ୍ତ ମହାନ୍ । ତାଙ୍କର ପୂର୍ବଜମାନେ ଭୌତିକ ଏବଂ ଆଧ୍ୟାତ୍ମିକ କ୍ଷେତ୍ରରେ ଉପଲବଧୁଗୁଡ଼ିକର ଉଚ୍ଚତମ ମାନଦଣ୍ଡ ସ୍ଥାପନ କରିଯାଇଛନ୍ତି । ଏପରି ଶିକ୍ଷା ଦେବାଦ୍ଵାରା ଉଚ୍ଚତର ଆଦର୍ଶଗୁଡ଼ିକୁ ପ୍ରାପ୍ତ କରିବାପାଇଁ ସେମାନଙ୍କୁ ଉତ୍ସାହ ପ୍ରଦାନ କରାଯାଇପାରିବ ।

କିନ୍ତୁ ଆମେ ତ ବିପରୀତ କ୍ରମେ ଆମ ବିଦ୍ୟାଳୟମାନଙ୍କରେ ଏକଦମ୍ ଓଲଟା ଶିକ୍ଷା ଦେଉଛୁ । ଆମ ଇତିହାସର ସବୁଠାରୁ ଗୌରବପୂର୍ଣ୍ଣ କାଳଖଣ୍ଡକୁ ଅନ୍ଧକାର ଯୁଗ ବୋଲି କୁହାଯାଉଛି । ଦାସତ୍ବର କାଳଖଣ୍ଡକୁ ମହିମାନ୍ବିତ କରାଯାଉଛି ; କିନ୍ତୁ ଆମ ସ୍ଵାଧୀନତା ସଂଗ୍ରାମୀମାନେ କରିଥିବା ପ୍ରେରଣାପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ନୁହେଁ । ଆମ ଇତିହାସର ଅଧିକାଂଶ ଭାଗ ହୁଏତ ମୋଗଲ କାଳ ନହେଲେ ବ୍ରିଟିଶ୍ କାଳ ।

ଯେତେବେଳେ ଆମ ପିଲାମାନଙ୍କୁ ଏଭଳି ଶିକ୍ଷା ଦିଆଯାଉଛି ଯେ ଆମର ଅତୀତ ଆଦୌ ମହାନ୍ ନଥିଲା, ଆମେ ସର୍ବଦା ଏକ ପରାଜିତ ରାଷ୍ଟ୍ର ଥିଲୁ, କେବଳ ମୋଗଲ ଓ ଇଂରେଜମାନେ ଏଠାକୁ ଆସିବା ପରେ ଆମ ରାଷ୍ଟ୍ରର ବିକାଶ ହୋଇଛି । ଅର୍ଥାତ୍ ଆମର ଅତୀତ କୌଣସି ଭାବେ ଗୌରବାବହ ନୁହେଁ, ତଥା ଆମର ପୂର୍ବଜମାନେ କୌଣସି ପ୍ରକାର ପ୍ରତିଦ୍ବନ୍ଦିତାର ଯୋଗ୍ୟ ନଥିଲେ । ଏଭଳି ଅବସ୍ଥାରେ ସାର୍ଥକ ବସ୍ତୁର ଆଶା ଆମେ କିପରି କରିପାରିବୁ ?

‘ଆପଣ ଯଦି ହିନ୍ଦୁମାନଙ୍କର ଅତୀତକାଳୀନ ଉପଲବଗୁଡ଼ିକୁ, ଆକ୍ରମଣକାରୀଙ୍କ ବିରୁଦ୍ଧରେ ସଂଘର୍ଷ କରିବାବେଳେ ସେମାନେ ଦେଖାଇଥିବା ଆତ୍ମ ବଳିଦାନର ଉତ୍ସାହ ଏବଂ ବୀରତ୍ଵର ଉଲ୍ଲେଖ ଓଜସ୍ୱୀ ରୂପେ କରିବେ – ସେ ଆକ୍ରମଣକାରୀ ଗ୍ରୀକ୍, ମୁସଲମାନ, ଇଂରେଜ ଯେ କେହି ହେଉନା କାହିଁକି, ତେବେ ଆପଣଙ୍କୁ ସାଙ୍ଗେ ସାଙ୍ଗେ ସାମ୍ପ୍ରଦାୟିକ ବୋଲି ଘୋଷଣାକରି ଦିଆଯିବ ।’ ଏହା ହିଁ ହେଉଛି ପ୍ରକୃତ ଅସୁବିଧା ଏବଂ ସମସ୍ୟାର ମୂଳ ।

ଏକଥା ଶୁଣି ଛାଗଲା କିଛି କ୍ଷଣ ଶାନ୍ତ ରହିଲେ ଏବଂ ତା’ପରେ କହିଲେ ‘ହଁ, ଏହିଭଳି କଥା ।