ବିରୋଧୀଙ୍କ ଦାବି ଜମ୍ମୁ କଶ୍ମୀରରେ ଲାଗୁ ହେଉ ଧାରା ୩୭୦

ନୂଆଦିଲ୍ଲୀ: ଧାରା ୩୭୦ ଏବଂ ୩୫ ଏ ଜମ୍ମୁ କଶ୍ମୀରରେ ପୁଣି ଲାଗୁ କରିବା ପାଇଁ ବିରୋଧୀ ଦାବି କରିଛନ୍ତି। ଏଥିସହିତ ଏହି କେନ୍ଦ୍ର ଶାସିତ ଅଞ୍ଚଳକୁ ସ୍ୱତନ୍ତ୍ର କାଟାଗୋରୀରେ ସାମିଲ କରିବାକୁ ଦାବି କରାଯାଇଛି । ଏଭଳି ଦାବି କରିଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ୱରମ।

ଏହାସହ ଜମ୍ମୁ କଶ୍ମୀରର ମୁଖ୍ୟ ରାଜନୀତିକ ଦଳ ଏକ ହୋଇ ମିଳିତ ମଞ୍ଚ ଗଠନ କରିବା ଦାବିକୁ ଚିଦାମ୍ବରମ୍ ସମର୍ଥନ ମଧ୍ୟ କରିଛନ୍ତି। ଧାରା ୩୭୦ ଉଚ୍ଛେଦ ଅସାମ୍ୱିଧାନିକ ବୋଲି ଚିଦାମ୍ୱରମ କହିଛନ୍ତି। କେନ୍ଦ୍ର ସରକାର ନିଷ୍ପତ୍ତି ପ୍ରତ୍ୟାହାର କରିବା ଉଚିତ ବୋଲି ସେ ଟ୍ୱିଟ୍ କରି ନିଜ ମତ ରଖିଛନ୍ତି।

ଚିଦାମ୍ବରମ୍ କହିଛନ୍ତି, ‘ଜମ୍ମୁ କଶ୍ମୀରର ମୁଖ୍ୟ ରାଜନୀତିକ ଦଳମାନେ ଏକାଠି ହୋଇ ଜମ୍ମୁ, କଶ୍ମୀର ଏବଂ ଲଦାଖର ଲୋକଙ୍କ ଅଧିକାରକୁ ପୁନଃ ସ୍ଥାପିତ କରିବା ପାଇଁ ସାମ୍ବିଧାନିକ ଯୁଦ୍ଧ ପାଇଁ ଏକାଠି ହେଉଛନ୍ତି। ଦେଶବାସୀ ଏହାକୁ ସ୍ୱାଗତ କରିବା ଦରକାର। କଂଗ୍ରେସ ମଧ୍ୟ ଏହାକୁ ସମର୍ଥନ କରିବ ବୋଲି ସେ କହିଛନ୍ତି। ଅଗଷ୍ଟ ୫, ୨୦୧୯ରେ ମୋଦି ସରକାର ମନମୁଖୀ ଭାବରେ ଏହି ଧାରାକୁ ରଦ୍ଦ କରିଛନ୍ତି। କେନ୍ଦ୍ର ସରକାର ଜମ୍ମୁ କଶ୍ମୀରର ବିଚ୍ଛିନ୍ନତାବାଦୀ ଏବଂ ପ୍ରମୁଖ ଦଳକୁ ଦେଶ ବିରୋଧୀ ଭାବରେ ଦେଖିବା ବନ୍ଦ କରିବା ଦରକାର ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରର ମୁଖ୍ୟ ରାଜନୀତିକ ଦଳ ଗୁରୁବାର ଏକାଠି ହୋଇ ବୈଠକ କରିଥିଲେ। ବୈଠକରେ ଧାରା ୩୭୦ ଲାଗୁ କରିବା ପାଇଁ ନିଷ୍ପତ୍ତି ହୋଇଛି। ପୂର୍ବ ସ୍ଥିତିକୁ ଫେରାଇ ଆଣିବା ପାଇଁ ଏକ ମିଳିତ ମଞ୍ଚ ଗଠନ କରିଛନ୍ତି। ନ୍ୟାଶନାଲ କନଫରେନସର ସଭାପତି ଫାରୁକ୍ ଅବଦୁଲ୍ଲାଙ୍କ ବାସଭବନରେ ଏହି ବୈଠକ ବସିଥିଲା। ଏଥିରେ ପିଡିପି ସୁପ୍ରିମୋ ମେହବୁବା ମୁଫତି, ପିପୁଲ୍ସ କନଫରେନ୍ସ ସଭାପତି ସାଜଜାଦ ଲୋନ, ପିପୁଲ୍ସ ମୁଭମେଣ୍ଟ ନେତା ଜାଭେଦ୍ ମୀର ଏବଂ ସିପିଆଇ (ଏମ୍) ନେତା ମହମ୍ମଦ ୟୁସୁଫ ତରିଗାମୀ ମଧ୍ୟ ଯୋଗ ଦେଇଥିଲେ।