ସୌରଶକ୍ତି ଆଲୋକରେ ଝଲସିବ କୋଣାର୍କ

ଭୁବନେଶ୍ୱର(ଏସ ନ୍ୟୁଜ): ସୌରଶକ୍ତି ଆଲୋକରେ ଝଲସିବ କୋଣାର୍କ ସୂର୍ଯ୍ୟ ମନ୍ଦିର। ୨୦୨୧ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକାରୀ ହେବ ଏହି ପ୍ରକଳ୍ପ।


ଏନେଇ କଳାହାଣ୍ଡିରେ ୧୦ ମେଗାୱାଟ ସୌରଶକ୍ତି ପ୍ଲାଣ୍ଟ୍‌ ସ୍ଥାପନ କରାଯିବ। ଏନେଇ ଶକ୍ତି, ଶିଳ୍ପ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଛି। ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଐତିହ୍ୟ ଓ ବୈଷୟିକ ଜ୍ଞାନର ଆକର୍ଷଣୀୟ ଯୁଗଳବନ୍ଦୀ ଭାବେ କୋଣାର୍କର ପ୍ରସିଦ୍ଧି ଆହୁରି ବିକଶିତ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଏହାସହ କୋଣାର୍କଠାରେ ବ୍ୟାଟେରି ଚାର୍ଜ ଷ୍ଟେସନ ପ୍ରତିଷ୍ଠା ହେବାକୁ ଯାଉଥିବାରୁ ଆଗାମୀ ଦିନରେ ସେଠାରେ ଯେପରି ଇ-ଯାନର ବ୍ୟବହାର କରିବେ, ସେନେଇ ଆଲୋଚନା ହୋଇଛି। ସେହିଭଳି କୋଣାର୍କକୁ ବିଶ୍ବସ୍ତରୀୟ ସହର ଭାବେ ଗଢ଼ି ତୋଳିବା ନିମନ୍ତେ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ ହେବା ସହିତ ବର୍ଜ୍ୟରୁ ସମ୍ପଦ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଥିବା ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି।

ତେବେ କୋଣାର୍କ ପାଇଁ ଆବଶ୍ୟକ ସୌରଶକ୍ତି କଳାହାଣ୍ଡିଠାରେ ଉତ୍ପାଦିତ ହେବ। ପଶ୍ଚିମ ଓଡ଼ିଶାରେ ମାତ୍ରାଧିକ ସୌରଶକ୍ତି ବିକିରଣ ହେଉଥିବାରୁ ଏହାକୁ ବିନିଯୋଗ କରାଯିବ। କଳହାଣ୍ଡିରେ ଉତ୍ପାଦିତ ବିଦ୍ୟୁତ ଶକ୍ତି ପୁରୀ ଶ୍ରୀମନ୍ଦିରକୁ ଯୋଗାଇ ଦିଆଯାଉଥିବା ବେଳେ ପୁଣି କୋଣାର୍କକୁ ସୌରଶକ୍ତି ଉତ୍ପାଦନ କରିବା କଳାହାଣ୍ଡି ପାଇଁ ଗୌରବର ବିଷୟ ବୋଲି ସେ କହିଛନ୍ତି। ଓରେଡା ଦ୍ବାରା କରାଯାଉଥିବା ଏହି ପ୍ରତୀକ୍ଷିତ ପ୍ରକଳ୍ପ ଦ୍ବାରା ସୂର୍ଯ୍ୟ ମନ୍ଦିର ସମେତ କୋଣାର୍କ ଅଧିସୂଚିତ କ୍ଷେତ୍ର ପରିଷଦ ସହରାଞ୍ଚଳକୁ ମଧ୍ୟ ଏହି ସ୍ବଚ୍ଛ ଓ ସବୁଜ ବିଦ୍ୟୁତ ଶକ୍ତି ଯୋଗାଇ ଦିଆଯିବ। କୋଣାର୍କ ଐତିହ୍ୟ ସହରକୁ କାର୍ବନମୁକ୍ତ ସହରରେ ପରିଣତ କରିବା ନେଇ ଏହି ପ୍ରକଳ୍ପ କରଯାଉଛି । ଏଥିସହ କୋଣାର୍କବାସୀଙ୍କ ଛାତ ଉପରେ ସୌରଶକ୍ତି ବ୍ୟବସ୍ଥା, ସୋଲାର ପାଣିପମ୍ପ୍‌, ସୋଲାର ଇ-ବାଇକ୍‌, ଇ-କାର୍‌ ପାଇଁ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯାଉଛି।

ସୌରଶକ୍ତି ପ୍ରକଳ୍ପ ପାଇଁ କଳହାଣ୍ଡିର ଜୁନାଗଡ଼ରେ ଶକ୍ତି ବିଭାଗକୁ ସରକାରୀ ଜମି ପ୍ରଦାନ ନେଇ ସରକାରୀ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କଳହାଣ୍ଡି ଜିଲ୍ଲାପାଳ ଡ.ପରାଗ ହର୍ଷଦ ଗୱାଲି କହିଛନ୍ତି। ଟାଟା ପାୱାର କେନ୍ଦ୍ରୀୟ ଓଡ଼ିଶା ବିତରଣ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ କୋଣାର୍କ ସହରର ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଛାତ ଉପରେ ସୌରଶକ୍ତି ଉତ୍ପାଦନ ବ୍ୟବସ୍ଥା କରିବାକୁ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ସୌର ପ୍ରକଳ୍ପର ଅଗ୍ରଗତି ସହ ଏହାର ତଦାରଖ ନିମନ୍ତେ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କୋର କମିଟି ଗଠନ ନିମନ୍ତେ ମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ବୈଠକରେ ଓରେଡାର ଯୁଗ୍ମ ନିର୍ଦେଶକ, ଗ୍ରିଡ୍‌କୋର ପରିଚାଳନା ନିର୍ଦେଶକ, ନିର୍ଦେଶକ, ଓରେଡାର ମୁଖ୍ୟ ନିର୍ବାହୀ, ପର୍ଯ୍ୟଟନ ଯୁଗ୍ମ ସଚିବ, ପ୍ରତ୍ନତତ୍ତ୍ବ ତତ୍ତ୍ବାବଧାରକ, ଏଏସ୍‌ଆଇ ଓ ଟାଟା ପାୱାର କେନ୍ଦ୍ରୀୟ ବିତରଣ ଲିମିଟେଡ୍‌ର ମୁଖ୍ୟ ନିର୍ବାହୀ ଅଧିକାରୀ ଯୋଗ ଦେଇଥିଲେ।