ପ୍ରତିବର୍ଷ ଶହେରୁ ଅଧିକ ଏସିଡ୍‌ ଆକ୍ରମଣ

ବଜାରରେ ଏସିଡ୍‌ ବିକ୍ରି ଉପରେ…

ନୂଆଦିଲ୍ଲୀ: ପ୍ରତିବର୍ଷ ୧୦୦ରୁ ଅଧିକ କିଶୋରୀ, ଯୁବତୀ, ମହିଳା ଓ ନାବାଳିକା ଏସିଡ୍‌ ମାଡ଼ର ଶିକାର ହେଉଛନ୍ତି । ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ ରିପୋର୍ଟ ମୁତାବକ ୨୦୧୮ରୁ ୨୦୨୦ ସୁଦ୍ଧା ଦେଶରେ ମହିଳାଙ୍କ ଉପରେ ଏସିଡ୍‌ ମାଡ଼ ସମ୍ପର୍କୀତ ୩୮୬ ମାମଲା ରୁଜୁ କରାଯାଇଥିଲା । ସେମାନଙ୍କ ଭିତରୁ ୬୨ ମାମଲାରେ ଦୋଷୀଙ୍କୁ ଦଣ୍ଡ ଦିଆଯାଇଛି । ସଂସଦରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କ ଏହି ବୟାନ ପ୍ରତି ଗଭୀର ଦୃଷ୍ଟିପାତ କଲେ ଜଣାଯାଏ ଯାବତୀୟ ଉଦ୍ୟମ କଲେ ମଧ୍ୟ ପ୍ରତିବର୍ଷ ୧୦୦ରୁ ଅଧିକ ଏସିଡ୍‌ ଆକ୍ରମଣ ମାମଲା ସାମ୍ନାକୁ ଆସୁଛି ।

ରିପୋର୍ଟ ଅନୁସାରେ ୨୦୧୮ରେ ୧୩୧, ୨୦୧୯ରେ ୧୫୦ ଓ ୨୦୨୦ରେ ୧୦୫ ଏସିଡ୍‌ ମାଡ଼ ମାମଲା ରୁଜୁ ହୋଇଥିଲା । ସେଥିରୁ ୨୦୧୮ରେ ୨୮, ୨୦୧୯ରେ ୧୬ ଓ ୨୦୨୦ରେ ୧୮ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ତିନିବର୍ଷରେ ସଂଘଟିତ ୩୮୬ ମାମଲାରୁ ମାତ୍ର ୬୨ ମାମଲାର ବିଚାର ଶେଷ ହୋଇଛି ।

ବଜାରରେ ଏସିଡ୍‌ ବିକ୍ରି ଉପରେ କଡ଼ା ନିୟମ ଲାଗୁ କରିବା ପାଇଁ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି, ବଜାରରେ ସହଜରେ ଏସିଡ୍‌ ମିଳୁଥିବାରୁ ଅପରାଧୀମାନେ ଆକ୍ରମଣ କରିବାର ସୁଯୋଗ ପାଉଛନ୍ତି । ରାଜ୍ୟ ସରକାର ଏସିଡ୍‌ ବିକ୍ରି ଉପରେ କଟକଣା ଜାରି କରିବା ସମୟ ଆସିଛି ।