ମୁଖ୍ୟମନ୍ତ୍ରୀ ଚଉକି ଉପରେ ଧର୍ମେନ୍ଦ୍ରଙ୍କ ନଜର

ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ…

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ପଦରେ ବେଶ କିଛିବର୍ଷ ତିଷ୍ଠିବା ପରେ ମୁଖ୍ୟମନ୍ତ୍ରୀ ପଦବୀ ଉପରେ ଦୃଷ୍ଟି ପକାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରୁଣା ବଳରେ ଦୁଇ ଦୁଇଥର କ୍ୟାବିନେଟରେ ସ୍ଥାନ ପାଇଥିଲେ ମଧ୍ୟ ବାବୁ ଧର୍ମେନ୍ଦ୍ର ରାଜ୍ୟବାସୀଙ୍କ ହୃଦୟ ଜିଣିପାରିଲେନି । ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍‌ ଦରବୃଦ୍ଧି କାରଣରୁ ବିଜେପି ପ୍ରତି ଲୋକଙ୍କ ମନରେ ଗଭୀର ଅସନ୍ତୋଷ ବୃଦ୍ଧି ପାଉଛି । ଲୋକଙ୍କ ପିଠି ଥାପୁଡେଇ ଆପଣା କାର୍ଯ୍ୟ ହାସଲ କରିବାରେ ପ୍ରଧାନମନ୍ତ୍ରୀ ମୋଦୀ ମାହିର ।

ମୋଦୀଙ୍କ ସ୍ୱାର୍ଥ ଭିତରେ ଦେଶବାସୀଙ୍କ ସ୍ୱାର୍ଥ ତୁଳନାରେ ଦଳୀୟ ସ୍ୱାର୍ଥ ଅଧିକ ପରିଲକ୍ଷିତ ହେଉଛି । ଓଡ଼ିଶାର ପୁଅ ହୋଇ ଧର୍ମେନ୍ଦ୍ର ପଡେ଼ାଶୀ ରାଜ୍ୟ କୃପା ବଳରେ କେନ୍ଦ୍ର କ୍ୟାବିନେଟରେ ଦୃଢ଼ ଆସ୍ଥାନ ଜମାଇ ପାରିଥିଲେ ମଧ୍ୟ ରାଜ୍ୟସ୍ତରର ନେତା ହୋଇ ପାରିଲେନି । ସାରା ଦେଶରେ ମୋଦୀ ମ୍ୟାଜିକ୍‌ କାମ କଲା; ମାତ୍ର ଓଡ଼ିଶାରେ କାମ କଲାନି । ୟା’ର କାରଣ ଆଉ ଯାହା ଥାଉନା କାହିଁକି, ରାଜ୍ୟ ବିଜେପି ଉପରେ ଲୋକଙ୍କ ଭରସା ପାଉନି ।

ଧର୍ମେନ୍ଦ୍ରଙ୍କ ପ୍ରତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯଥେଷ୍ଟ ଅନୁକମ୍ପା ଦେଖିବା ପରେ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ, ପ୍ରଧାନମନ୍ତ୍ରୀ ମୋଦୀ ଧର୍ମେନ୍ଦ୍ରଙ୍କ ଭିତରେ ଏପରି କି ଗୁଣ ଦେଖି ମୋହିତ ଯାହା ରାଜ୍ୟର କୌଣସି ଲୋକଙ୍କୁ ଦେଖାଯାଉନି ।
ନବୀନବାବୁଙ୍କ ଉତ୍ତରାଧିକାରୀ ହେବାର କୌଣସି ଯୋଗ୍ୟତା ଧର୍ମେନ୍ଦ୍ରଙ୍କ ପାଖରେ ନାହିଁ ବୋଲି ରାଜ୍ୟର ବୁଦ୍ଧିଜୀବୀମାନେ କୁହାକୁହି ହେଉଛନ୍ତି । ରାଜ୍ୟର ୧୪୭ଟି ବିଧାନସଭା ଓ ୨୧ଟି ଲୋକସଭା ଆସନ ପାଇଁ ବିଜେପି ପାଖରେ ପ୍ରାର୍ଥୀ ଅଭାବ । ଏ କ୍ଷେତ୍ରରେ ରାଜ୍ୟ ବିଜେପି ଅନ୍ୟ କୌଣସି ଦଳ ସହିତ ଆସନ ବୁଝାମଣା କରି ୨୦୨୪ ନିର୍ବାଚନ ମଇଦାନକୁ ଓହ୍ଲାଇବା ବୁଦ୍ଧିମାନର କାମ ହେବ ବୋଲି ସାଧାରଣରେ ମତାମତ ପ୍ରକାଶ ପାଉଛି ।