ଟାଟା ପାୱାର ଗୋ ବ୍ୟାକ କୁ ୫୦,୦୦୦ ସମର୍ଥନ

ପ୍ରଥମ ଦିନରେ ୫୦ ହଜାର ଟାଟା ପାୱାର ବିରୋଧୀ…

ଭୁବନେଶ୍ୱର: ‘ଟାଟା ପାୱାର ଗୋ ବ୍ୟାକ୍‌’ ଅଭିଯାନର ପ୍ରଥମ ଦିନରେ ପ୍ରାୟ ୫୦ ହଜାର ଲୋକ ଏନ୍‌ୟୁବିସି ସହ ହାତ ମିଳାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରୁଣା ଲାଭ କରି ଟାଟା ପାୱାର ରାଜ୍ୟର ବିଜୁଳି ଉପଭୋକ୍ତାଙ୍କୁ ଶୋଷଣ କରୁଛି । ମାଛତେଲରେ ମାଛ ଭାଜିବା ନ୍ୟାୟରେ ନବୀନବାବୁଙ୍କ କୃପା ବଳରେ ବଳୀୟାନ ହୋଇ ଟାଟା ପାୱାର ଲୋକଙ୍କ ଧନରେ ବ୍ୟବସାୟ ସାମ୍ରାଜ୍ୟ ପ୍ରତିଷ୍ଠା ଉଦ୍ୟମ ଜାରି ରଖିଛି । ପୁରୁଣା ତାର ଓ ଟ୍ରାନ୍ସଫର୍ମରକୁ କୌଣସି ମତେ ମରାମତି କରି ଉପଭୋକ୍ତାଙ୍କଠାରୁ ବିଜୁଳି ଶୁଳ୍ପ ଆଦାୟ କରିବା ସଂସ୍ଥାର ପ୍ରଧାନ ଉଦ୍ଦେଶ୍ୟ । ତା’ ସହିତ ଅଘୋଷିତ ବିଜୁଳି କାଟ କ୍ଷେତ୍ରରେ ଟାଟା ପୂର୍ବର ରିଲାଏନ୍ସକୁ ଟପିଯାଇଛି ।

ମଧ୍ୟବିତ୍ତ ଉପଭୋକ୍ତାଙ୍କଠାରୁ ଠିକ୍‌ ସମୟରେ ଦେୟ ଆଦାୟ କରି ବିଜୁଳି ଯୋଗାଣରେ ବ୍ୟାଘାତ ସୃଷ୍ଟି କରିବା ଫଳରେ ଟାଟା ପ୍ରତି ଜନଅସନ୍ତୋଷ କ୍ରମେ ବୃଦ୍ଧି ପାଉଛି । ଟାଟା ପାୱାର ଦାଉରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଏନ୍‌ୟୁବିସି ପକ୍ଷରୁ ‘ଟାଟା ପାୱାର ଗୋ ବ୍ୟାକ୍‌’ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ଜରିଆରେ ସଂଗଠନର କର୍ମୀମାନେ ଘରକୁ ଘର ବୁଲି ଉପଭୋକ୍ତାଙ୍କ ମତାମତ ସଂଗ୍ରହ କରୁଛନ୍ତି ।

ସଂଗଠନ ପକ୍ଷରୁ ମୁଦ୍ରିତ ଦରଖାସ୍ତକୁ ପୂରଣ କରି ଉପଭୋକ୍ତା ସଂଗଠନ କର୍ମୀଙ୍କୁ ପ୍ରଦାନ କରିବେ । ଉକ୍ତ ଦରଖାସ୍ତ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯିବ । ଏନ୍‌ୟୁବିସି ରାଜ୍ୟ ସଂପାଦକ ସୀତାରାମ ବେହେରାଙ୍କ ସୂଚନା ମୁତାବକ ସଂଗଠନ ରାଜ୍ୟର ୧୪୭ଟି ନିର୍ବାଚନ ମଣ୍ଡଳୀ ଗସ୍ତ କରି ଉପଭୋକ୍ତାଙ୍କଠାରୁ ଦରଖାସ୍ତ ସଂଗ୍ରହ କରିବ । ପ୍ରଥମ ଦିନରେ ସଂଗଠନର କର୍ମୀମାନେ ୫୦ ହଜାର ଟାଟା ବିରୋଧୀ ଦରଖାସ୍ତ ସଂଗ୍ରହ କରିପାରିଛନ୍ତି । ଫଳରେ ସଂଗଠନ ପ୍ରତି ଲୋକଙ୍କ ବିଶ୍ୱାସ ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି ।