ବ୍ରିଟେନରେ ଅକ୍ସଫୋର୍ଡ ଟିକାକୁ ବ୍ୟବହାର ଅନୁମତି-shaksi news

ଲଣ୍ଡନ: ବ୍ରିଟେନରେ ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ପ୍ରସ୍ତୁତ କରିଥିବା କରୋନା ଟିକାକୁ ମିଳିଛି ଅନୁମତି। ବହୁ ପରୀକ୍ଷାନିରୀକ୍ଷା କରିବା ପରେ ବ୍ରିଟେନ ସରକାର ଟୀକା ବ୍ୟବହାର ପାଇଁ ଅନୁମୋଦନ କରିଛନ୍ତି। ବିଶ୍ୱର ପ୍ରଥମ ଦେଶ ଭାବେ ବ୍ରିଟେନ ଅକ୍ସଫୋର୍ଡ ଟିକାକୁ ବ୍ୟବହାର ପାଇଁ ଅନୁମତି ଦେଇଥିବା ବେଳେ ଖୁବଶୀଘ୍ର ବ୍ରିଟେନରେ ଏହାର ଟିକାକରଣ ଆରମ୍ଭ ହେବ।

ତେବେ ଟିକାର ବ୍ୟବହାର ପାଇଁ ଆଷ୍ଟ୍ରାଜେନେକା ପକ୍ଷରୁ ବ୍ରିଟିଶ ସରକାରଙ୍କ ନିକଟରେ ଆବେଦନ କରାଯାଇଥିଲା। ଏହାପରେ Medicines and Healthcare products Regulatory Agency (MHRA) ଟ୍ରାଏଲ ବେଳେ ମିଳିଥିବା ତଥ୍ୟକୁ ଗୁଡ଼ିକୁ ସମୀକ୍ଷା କରିଥିଲା। ଶେଷରେ MHRA ଅକ୍ସଫୋର୍ଡ ଟିକା ସୁରକ୍ଷିତ ବୋଲି କହିବା ସହ ଏହାର ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରିଛି।

ଟିକାକୁ ନେଇ MHRA କହିଛି ଯେ ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକାର ଦୁଇଟି ଡୋଜ ଜଣେ ବ୍ୟକ୍ତି ନେବେ। ୪ରୁ ୧୨ ସପ୍ତାହ ମଧ୍ୟରେ ଏହି ଦୁଇଟି ଯାକ ଡୋଜ ନେବାକୁ ପଡ଼ିବ। ଏହା ଦ୍ୱାରା କୌଣସି ଗୁରୁତର ପାର୍ଶ୍ୱପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ। ଅନୁମୋଦନ ପରେ ବ୍ରିଟେନ ସରକାର ଅକ୍ସଫୋର୍ଡ ଟିକାର ୧୦ କୋଟି ଡୋଜ୍‌ ମଗାଇଛନ୍ତି। ସେହିପରି ଏହାପୂର୍ବରୁ ବ୍ରିଟେନ ସରକାର ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକାକୁ ଦେଶରେ ବ୍ୟବହାର ପାଇଁ ଅନୁମତି ଦେଇଥିଲେ।

ଆୟପଟେ ବ୍ରିଟେନରେ ଅକ୍ସଫୋର୍ଡ ଟିକାକୁ ଅନୁମୋଦନ ମିଳିଥିବାରୁ ଭାରତରେ ଉତ୍କଣ୍ଠା ବଢ଼ି ଯାଇଛି। କାରଣ ଭାରତରେ ଏହି ଟିକାର ପରୀକ୍ଷା ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି ଓ ଖୁବଶୀଘ୍ର ଏହାକୁ ବ୍ୟବହାରିକ ଅନୁମୋଦନ ମିଳିବ ବୋଲି କୁହାଯାଇଛି। ଏପରିକି ପୂର୍ବରୁ ବିଶେଷଜ୍ଞମାନେ କହିଥିଲେ ଯେ ବ୍ରିଟେନରେ ଟିକାକୁ ଅନୁମୋଦନ ମିଳିବା ପରେ ଯାଇ ଭାରତରେ ଟିକାକୁ ବ୍ୟବହାର ପାଇଁ ଅନୁମତି ଦିଆଯିବ ବୋଲି କହିଥିଲେ।

ଭାରତରେ ଅକ୍ସଫୋର୍ଡ ଟିକାର ଉତ୍ପାଦନ ଦାୟିତ୍ୱ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ନେଇଛି। ସେରମ କହିଥିଲା ଯେ ବ୍ରିଟେନରେ ଅନୁମୋଦନ ମିଳିବାର ମାତ୍ର କିଛି ଦିନ ମଧ୍ୟରେ ଭାରତରେ ଏହାକୁ ଜରୁରୀ କାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିବ। ଆଜି ବ୍ରିଟେନରେ ଟିକାକୁ ଅନୁମୋଦନ ମିଳିଥିବାରୁ ୨୦୨୧ ପ୍ରଥମ ସପ୍ତାହରେ ଭାରତରେ ମଧ୍ୟ ଏହାକୁ ମଞ୍ଜୁରୀ ମିଳିବ ବୋଲି କୁହାଯାଉଛି।