ଭାରତର ତତଲା ଲୁହରେ ଜଳୁଛି ପାକିସ୍ତାନ

ମସଜିଦରେ ଆତ୍ମଘାତୀ ହମ୍‌ଲା: ୬୦ ମୃତ, ୧୫୦ ଆହତ…

ନୂଆଦିଲ୍ଲୀ: ଭାରତରେ ଅସ୍ଥିରତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆତଙ୍କୀ ସଂଗଠନଗୁଡ଼ିକୁ ଆଶ୍ରୟ ଦେଇଥିବା ପାକିସ୍ତାନ ଆଜି ଦୋହଲି ଯାଇଛି । ବେଶ କିଛିମାସ ଧରି ଆର୍ଥିକ ସଂକଟରେ ଛଟପଟ ହେଉଥିବା ପାକିସ୍ତାନ ଆଜି ଆତ୍ମଘାତୀ ହମ୍‌ଲାର ଶିକାର ହୋଇଛି ।ଗୋଟିଏ ମସଜିଦରେ ନମାଜ ପାଠ ଚାଲିଥିଲା ବେଳେ ଗୋଟିଏ ଆତ୍ମଘାତୀ ବୋମାଧାରୀ ନିଜକୁ ଉଡ଼ାଇ ଦେବା ଫଳରେ ପ୍ରାୟ ୬୦ ପୁଲିସ କର୍ମଚାରୀ ନିହତ ହେବା ସହିତ ୧୫୦ରୁ ଅଧିକ ମୁସଲିମ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି ।

୭୦ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ତା’ର ଆବାଜ ପ୍ରାୟ ଦୁଇ କିଲୋମିଟର ଦୂରକୁ ଶୁଣିବାକୁ ମିଳିଥିଲା । ମସଜିଦର ଗୋଟିଏ ଭାଗ ନଷ୍ଟ ହୋଇଯାଇଛି । ପେଶାୱରସ୍ଥିତ ପୁଲିସ ଲାଇନରେ ନିର୍ମିତ ମସଜିଦରେ ଏହି ଭୟାନକ ବିସ୍ଫୋରଣ ଘଟିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ ଦ୍ୱିପ୍ରହର ନମାଜ ସମୟରେ ମସଜିଦ ଭିତରେ ୬୦୦ ଲୋକ ମହଜୁଦ ଥିଲେ ।

ଶ୍ରଦ୍ଧାଳୁଙ୍କ ଲାଇନ ଭିତରେ ଆତ୍ମଘାତୀ ବୋମାଧାରୀ ଠିଆ ହୋଇଥିଲା । ଆଶ୍ଚର୍ଯ୍ୟର ବିଷୟ ହେଉଛି, ପୁଲିସ ଲାଇନର ମସଜିଦଟି କଡ଼ା ସୁରକ୍ଷା ଭିତରେ ଥିଲାବେଳେ ଆକ୍ରମଣକାରୀ ପ୍ରବେଶ କଲା କିପରି? ମସଜିଦ ଗେଟ୍‌ ନିକଟରେ ପୁଲିସକୁ ପ୍ରବେଶ ପତ୍ର ଦେଖାଇବାକୁ ପଡ଼ିଥାଏ । ଆତ୍ମଘାତୀ ବୋମାଧାରୀ ଅବା ଫିଦାୟିନ ଜଣକ କୌଣସି ପୁଲିସ କର୍ମଚାରୀଙ୍କ ସଂପର୍କୀୟ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି ।