ଆଶାରାମ ବାପୁ ଦୋଷୀ ପ୍ରମାଣିତ, ଆଜି ରାୟ

ଉକ୍ତ ମାମଲାରେ ଆଶାରାମ ଓ ତାଙ୍କ ପତ୍ନୀଙ୍କ ସମେତ ୬ ଜଣ ଅଭିଯୁକ୍ତ ଥିଲେ…

ଗାନ୍ଧୀନଗର: ଗୁଜରାଟର ଗାନ୍ଧୀନଗର ସେସନ୍‌ କୋର୍ଟ ଆତ୍ମଘୋଷିତ ଭଗବାନ ଆଶାରାମଙ୍କୁ ସୁରତ ମହିଳା ଦୁଷ୍କର୍ମ ଘଟଣାରେ ଦୋଷୀ ପ୍ରମାଣିତ କରିଛନ୍ତି । ମଙ୍ଗଳବାର ତାଙ୍କ ପ୍ରତି ଦଣ୍ଡ ବିଧାନ ଘୋଷଣା କରିବେ କୋର୍ଟ । ଏହା ପୂର୍ବରୁ ୨୦୧୮ ଏପ୍ରିଲ ୨୫ ତାରିଖରେ ଜୋଧପୁର କୋର୍ଟ ୟୁପିର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଆଶାରାମଙ୍କୁ ଦୋଷୀ ପ୍ରମାଣିତ କରି ଆଜୀବନ କାରାବାସ ଦଣ୍ଡ ପ୍ରଦାନ କରିଥିଲେ ।

ସୋମବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଶାରାମ କୋର୍ଟରେ ହାଜର ହୋଇଥିଲେ । ପ୍ରାୟ ୧୦ ବର୍ଷ ତଳେ ସୁରତର ଜଣେ ମହିଳା ଅହମ୍ମଦାବାଦ ଅନ୍ତର୍ଗତ ମୋଟେରାସ୍ଥିତ ଆଶ୍ରମରେ ଆଶାରାମଙ୍କ ଦ୍ୱାରା ବାରମ୍ବାର ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଥିଲେ । ଉକ୍ତ ମାମଲାରେ ଆଶାରାମ ଓ ତାଙ୍କ ପତ୍ନୀଙ୍କ ସମେତ ୬ ଜଣ ଅଭିଯୁକ୍ତ ଥିଲେ ।

ବିଚାର କାଳ ଭିତରେ ଜଣେ ଅଭିଯୁକ୍ତ ପ୍ରାଣ ହରାଇ ସାରିଛନ୍ତି । ପୁଲିସ ଦାଖଲ କରିଥିବା ଅଭିଯୋଗ ଫର୍ଦ୍ଦ ଅନୁସାରେ ପୀଡ଼ିତା ଆଶ୍ରମରେ ରହୁଥିବା ସମୟରେ ୨୦୦୧ରୁ ୨୦୦୬ ଭିତରେ ଦୁଷ୍କର୍ମର ଶିକାର ହୋଇଥିଲେ । ପୁଲିସ ପକ୍ଷରୁ ୨୦୧୪ ଜୁଲାଇରେ ଚାର୍ଜସିଟ୍‌ ଦାଖଲ କରାଯାଇଥିଲା ।