ମହାରାଷ୍ଟ୍ର ଶନିମନ୍ଦିର ସାଧୁଙ୍କ ବାଣୀ ହେଲା ସତ୍ୟ

ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ଅନ୍ତିମ ବିଦାୟ, ପଂଚଭୂତରେ ଲୀନ…

ଝାରସୁଗୁଡ଼ା: କର୍ମଭୂମି ଝାରସୁଗୁଡ଼ାର ଖେରୁଆଲ ମଶାଣିରେ ଜଳିଛି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ଚିତା । ରାଜ୍ୟ ପୁଲିସ ପକ୍ଷରୁ ଗାର୍ଡ ଅଫ୍‌ ଅନର ଦେବାପରେ ପୁଅ ବିଶାଳ ମୁଖାଗ୍ନି ଦେଇଥିଲେ । ବ୍ରଜରାଜନଗରରେ ପୁଲିସ ଗୁଳିରେ ଗୁରୁତର ହେବାପରେ ନବଦାସଙ୍କୁ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲକୁ ନିଆଯାଇଥିଲା । ଡାକ୍ତରଙ୍କ ଆପ୍ରାଣ ଉଦ୍ୟମ ସତ୍ୱେ ତାଙ୍କର ପରଲୋକ ଘଟିଥିଲା । ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ସାରା ଓଡ଼ିଶାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଅବିଭକ୍ତ ସମ୍ବଲପୁରରେ ଜନ୍ମିତ ନବଦାସ ରାଜନୀତିର ଆଦ୍ୟପର୍ବରେ ଝାରସୁଗୁଡ଼ାକୁ କର୍ମଭୂମି ଭାବେ ବାଛି ନେଇଥିଲେ ।

ସୋମବାର ସକାଳେ ତାଙ୍କ ମରଶରୀରକୁ ଭୁବନେଶ୍ୱର ସରକାରୀ ବାସଭବନରେ ରଖାଯାଇଥିଲା । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ମନ୍ତ୍ରୀ, ବିଧାୟକ, ଦଳୀୟ ନେତା ଓ କର୍ମୀମାନେ ତାଙ୍କର ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ଶବଗାଡ଼ିକୁ ବିଜେଡି ମୁଖ୍ୟ କାର୍ଯ୍ୟାଳୟକୁ ନିଆଯାଇଥିଲା ।

ଦଳର ପ୍ରମୁଖ ନେତାମାନେ ତାଙ୍କୁ ଶେଷ ସମ୍ମାନ ପ୍ରଦର୍ଶନ କରିବା ପରେ ଏକ ସ୍ୱତନ୍ତ୍ର ବିମାନରେ ନବଦାସଙ୍କ ଶବକୁ ଭୁବନେଶ୍ୱର ବିମାନ ବନ୍ଦରରୁ ଝାରସୁଗୁଡ଼ା ନିଆଗଲା । ଝାରସୁଗୁଡ଼ା ବିମାନଘାଟିରୁ ଆମ୍ବୁଲାନ୍ସ ଜରିଆରେ ମୃତଦେହକୁ ସରବାହାଲ ବାସଭବନକୁ ନିଆଗଲା । ଏକ ସୁସଜ୍ଜିତ ଗାଡ଼ିରେ ତାଙ୍କ ମରଶରୀରକୁ ରଖାଯାଇ ବିଶାଳ ଶୋଭାଯାତ୍ରା ବାହାର କରାଯାଇଥିଲା ଯାହା ସାରା ସହର ପରିକ୍ରମା କରିଥିଲା ।

ଶୁଣିବାକୁ ମିଳିଛି, ନବଦାସ ତାଙ୍କ ପରିବାର ଗହଣରେ ମହାରାଷ୍ଟ୍ରର ପ୍ରସିଦ୍ଧ ଶନିମନ୍ଦିରକୁ ଯାଇଥିଲେ । ସେଠାରେ ପୂଜାର୍ଚ୍ଚନା କରୁଥିବା ସମୟରେ ଜଣେ ସାଧୁ ନବଦାସଙ୍କୁ ଦେଖି ବିସ୍ମୟ ଦୃଷ୍ଟିରେ ଅନାଇଥିଲେ । ନବଦାସ ତାଙ୍କୁ ‘କ୍ୟା ହୁଆ ବାବା (କ’ଣ ହେଲା ବାବା)’ ପଚାରିଥିଲେ । ତହୁଁ ସାଧୁଜଣକ କହିଥିଲେ, ‘ବେଟେ, ହୋଗା ଓହି ଜୋ ବାବା ଚାହତେ ହୈ, ଓହି ଆପ୍‌କୋ ଲମ୍ବି ଆୟୁ ଦେ ସକ୍‌ତେ ହୈ ।’ ଏତିକି କହି ସାଧୁଜଣକ ଆପଣା ବାଟରେ ଚାଲି ଯାଇଥିଲେ । ନବଦାସ କିଛି ଠଉରାଇ ପାରିଲେନି । ପୂଜାର୍ଚ୍ଚନା କରି କର୍ମଭୂମିକୁ ଫେରିଆସିଲେ । କିଏ ଜାଣିଥିଲା, ନବଦାସ ଏତେ ଶୀଘ୍ର ବାବା ଶନିଦେବଙ୍କ ଚରଣକୁ ଚାଲିଯିବେ ।