ପିଏମ କିଷାନ ଯୋଜନା: ଅଯୋଗ୍ୟ ଚାଷୀଙ୍କଠାରୁ ୩ ହଜାର କୋଟି ଆଦାୟ କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ହିତାଧିକାରୀ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କାର ଆର୍ଥିକ ସହାୟତା ମିଳୁଛି । ୨ ହଜାର ଟଙ୍କା ଲେଖାଏଁ ୩ଟି କିସ୍ତିରେ କେନ୍ଦ୍ର ସରକାର ବାର୍ଷିକ ୬ ହଜାର ଟଙ୍କା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ କ୍ୟାସ ବେନିଫିଟ୍‌ ଟ୍ରାନ୍ସଫର ମାଧ୍ୟମରେ ଦେଉଛନ୍ତି । ତେବେ କେତେକ ଲୋକେ ଅଛନ୍ତି ଯେଉଁମାନେ ଏହି ଲାଭ ନେବା ଲାଗି ସଂପୂର୍ଣ୍ଣ ଅଯୋଗ୍ୟ । ଏହି ଯୋଜନାରେ ସେମାନେ ଲାଭ ମଧ୍ୟ ଉଠାଉଛନ୍ତି । ଏପରି ଲୋକଙ୍କ ଠାରୁ ସରକାର ଟଙ୍କା ଅସୁଲ କରିବା ଲାଗି ଏବେ ଚିନ୍ତା କରୁଛନ୍ତି । ଏହି ଚିହ୍ନଟ ପ୍ରକ୍ରିୟାରେ ୪୨.୧୬ ଲକ୍ଷ ଲୋକେ ଚିହ୍ନଟ ହୋଇଛନ୍ତି ଯେଉଁମାନେ ଚାଷୀ ନ ହୋଇ କୃଷକ ସମ୍ମାନ ନିଧି ଯୋଜନାର ଲାଭ ପାଉଛନ୍ତି । ଏମାନଙ୍କ ଠାରୁ ୨ହଜାର ୯୯୨. ୭୫ କୋଟି ଟଙ୍କା ରିକୋଭରି ଲାଗି ସରକାର ଯୋଜନା କରୁଛନ୍ତି । ସରକାରଙ୍କ ଅନୁସାରେ ଏମାନେ ସେହି ଚାଷୀ ଯେଉଁମାନେ ଆୟକର ରିଟର୍ଣ୍ଣ ଫାଇଲ କରୁଛନ୍ତି । ଏପରି ଚାଷୀଙ୍କ ସମ୍ପର୍କରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ସଂସଦରେ ସୂଚନା ଦେଇଛନ୍ତି । ଏଥିରେ ଆସାମରେ ସବୁଠୁ ଅଧିକ ଥିବାବେଳେ ପଶ୍ଚିମବଙ୍ଗରୁ କମ୍‌ ହେବ ବୋଲି କହିଛନ୍ତି । ପଶ୍ଚିମବଙ୍ଗରେ ଚାଷୀମାନେ କେନ୍ଦ୍ର ସରକାରଙ୍କ ଏହି ଯୋଜନାର ଲାଭ ନେଉ ନାହାନ୍ତି । ତେବେ ଆସାମରେ ଅଯୋଗ୍ୟ ଚାଷୀଙ୍କଠାରୁ ୫୫୪.୦୧ କୋଟି ଟଙ୍କା ରିକୋଭରି ହେବାକୁ ଥିବା ବେଳେ ପଶ୍ଚିମବଙ୍ଗରେ ୭୬ ହଜାର ଟଙ୍କା ରିକୋଭରି ହେବ ବୋଲି ଶ୍ରୀ ତୋମାର ଗୃହକୁ କହିଛନ୍ତି ।