ଶାନ୍ତି ପ୍ରତିଷ୍ଠା ପାଇଁ ସର୍ତ୍ତ ରଖିଲା ତାଲିବାନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଅଶରଫ ଘାନିଙ୍କୁ ଗାଦିଚ୍ୟୁତ ନକଲେ ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ ନାହିଁ ବୋଲି ଏକ ଗଣମାଧ୍ୟମକୁ କହିଛନ୍ତି ତାଲିବାନର ପ୍ରବକ୍ତା ସୁହୈଲ ଶାହୀନ । ଆମେରିକା ସେନା ଆଫଗାନିସ୍ତାନ ଛାଡ଼ିବା ପରେ ତାଲିବାନ ଆଫଗାନିସ୍ତାନ କବଜା କରିଛି । ସେ ଅନେକ ଷ୍ଟ୍ରାଟେଜିକ୍‌ କ୍ରସିଂ ଉପରେ କବଜା କରିଛି । ଏବେ ଅନେକ ରାଜ୍ୟ ରାଜଧାନୀକୁ କାବୁ କରିବାକୁ ଉଦ୍ୟମ ଚଳାଇଛି ତାଲିବାନ । ଏହା ସହ ସୁହୈଲ କହିଛି ଯେ, ଯେତେବେଳେ କାବୁଲରେ ସମସ୍ତଙ୍କ ସମର୍ଥିତ ସରକାର ଗଠନ ହେବ ଏବଂ ଘାନିଙ୍କ ସରକାର ଚାଲିଯିବ ସେତେବେଳେ ତାଲିବାନ ଅସ୍ତ୍ର ଛାଡ଼ିଦେବ । ସତ୍ତା ହାତେଇଥିବା ନେଇ ଘାନିଙ୍କ ଉପରେ ଅଭିଯୋଗ କରିଛି ଶାହୀନ । ୨୦୧୯ ନିର୍ବାଚନରେ ଘାନି ଧୋକା ଦେଇ ଶାସନକୁ ଆସିଛନ୍ତି । ନିର୍ବାଚନ ଫଳାଫଳ ପରେ ଘାନି ଏବଂ ଅବଦୁଲା ଅବଦୁଲା ଦୁଇ ଜଣ ନିଜକୁ ରାଷ୍ଟ୍ରପତି ଘୋଷଣା କରିଛନ୍ତି । ପରେ ବୁଝାମଣା ହୋଇଗଲା ଏବଂ ଅବଦୁଲା ସରକାର ନମ୍ବର ଦୁଇକୁ ଚାଲିଗଲା ବୋଲି ଶାହୀନ କହିଛି । ସେପଟେ ନୂଆ ସରକାର ନଆସିବା ଯାଏ ଘାନି ରାଷ୍ଟ୍ରପତି ରହିବେ ବୋଲି କହିଛନ୍ତି । ଆଫଗାନିସ୍ତାନରେ ତାଲିବାନ ବ୍ୟତୀତ ରାଷ୍ଟ୍ରପତି ଘାନିଙ୍କୁ ନେଇ ସର୍ବଦା ବିଶୃଙ୍ଖଳା ହେଉଛି ।