ସାଉଦି ଆରବ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଆଜିଠାରୁ ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ସାଉଦି ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ନିଜ ଅଭିଭାଷଣ ରଖିଛନ୍ତି । ସାଉଦି କ୍ରାଉନ ପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ପ୍ରିନ୍ସ ମହମ୍ମଦ ବିନ ସଲମନଙ୍କ ସ୍ୱତନ୍ତ୍ର ନିମନ୍ତ୍ରଣରେ ମୋଦୀ ସାଉଦି ଗସ୍ତ କରୁଥିବା କହିଛନ୍ତି ।

ସାଉଦି ସହ ଭଲ ଦ୍ୱିପାକ୍ଷିକ ସମ୍ପର୍କ କଥା ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଗତ ବର୍ଷରେ ସାଉଦି ସହ ଭାରତର ଭଲ ସମ୍ପର୍କ ରହିଆସିଛି ।ପ୍ରତିରକ୍ଷା, ବାଣିଜ୍ୟ, ପୁଞ୍ଜି ନିବେଶ, ଊର୍ଜା ଓ ଅନ୍ୟାନ୍ୟ କ୍ଷେତ୍ରରେ ସାଉଦି ସହ ଦ୍ୱିପାକ୍ଷିକ ସମ୍ପର୍କ କଥା ପ୍ରଧାନମନ୍ତ୍ରୀ ସ୍ମୃତି ଚାରଣ କରିଥିଲେ । ଆଂଚଳିକ ଶାନ୍ତି, ସୌହାର୍ଦ୍ଦ୍ୟ, ନିରାପତ୍ତା ଓ ସ୍ଥିରତା ବଜାୟ ରଖିବାକୁ ଭାରତ ପ୍ରତିବଦ୍ଧ ବୋଲି ମୋଦୀ କହିଥିଲେ ।

ଗତ ଦଶନ୍ଧି ଭିତରେ ଏହା ତାଙ୍କର ତୃତୀୟ ସାଉଦି ଗସ୍ତ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ତେବେ ପ୍ରଥମଥର ପାଇଁ ସାଉଦିର ଜେଦ୍ଦାହ ଅଂଚଳକୁ ପ୍ରଧାନମନ୍ତ୍ରୀ ଗସ୍ତ କରୁଥିବା ବି ସୂଚନା ଦେଇଛନ୍ତି । ଷ୍ଟ୍ରାଟେଜିକ ପାର୍ଟନରସିପ କାଉନସିଲର ଦ୍ୱିତୀୟ ବୈଠକରେ ଯୋଗଦେବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ସକାରାତ୍ମକ ଆଶା ପୋଷଣ କରୁଥିବା କହିଛନ୍ତି । ତେବେ ୨୦୨୩ ମସିହାରେ ସାଉଦି ପ୍ରିନ୍ସ ମହମ୍ମଦ ବିନ ସଲମନଙ୍କ ଭାରତ ଗସ୍ତ କଥା ବି ପ୍ରଧାନମନ୍ତ୍ରୀ ସ୍ମୃତି ଚାରଣ କରିଥିଲେ ।

ସାଉଦିରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ଅକୁଣ୍ଠ ନିଷ୍ଠା ତଥା ଭାରତ ପ୍ରତି ରହିଥିବା ସେମାନଙ୍କର ଅତୁଲ୍ୟ ଅବଦାନ ପ୍ରସଙ୍ଗକୁ ପ୍ରଧାନମନ୍ତ୍ରୀ ଅବତାରଣା କରିଥିଲେ । ଉଭୟ ଦେଶ ଭିତରେ ସାଂସ୍କୃତିକ ଓ ସାମାଜିକ ଭାବ ବିନିମୟ ପାଇଁ ପ୍ରବାସରେ ରହୁଥିବା ଭାରତୀୟ ସମୁଦାୟ ଏକ ସେତୁ ଭଳି କାମ କରୁଥିବା  ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।