ଆମ ସୌରମଣ୍ଡଳ ବାହାରେ ଏପରି ଗୋଟିଏ ଗ୍ରହ ରହିଛି, ଯୋଉଥିରେ ବିଚିତ୍ର ମଣିଷ ବା ଏଲିୟାନ ବସବାସ କରୁଥିବା ବିଷୟ ସାମ୍ନାକୁ ଆସିଛି ।
ଏଲିୟାନ ଶବ୍ଦଟିକୁ ଶୁଣିବା କ୍ଷଣି ଆମ ମାନସପଟରେ ବିଚିତ୍ର ମଣିଷ ନାଚିଯାନ୍ତି । ଗତ କିଛିବର୍ଷ ଧରି ଅନ୍ୟ ଗ୍ରହରୁ ଆମ ଗ୍ରହକୁ ଉଡ଼ି ଆସୁଛି ବିଚିତ୍ର ଉପଗ୍ରହ ବା ଉଡ଼ନ୍ତା ଥାଳିଆ । ସେହି ଉଡନ୍ତା ଥାଳିଆ ଭିତରୁ ବାହାରି ଆସନ୍ତି ଏକାଧିକ ବିଚିତ୍ର ମଣିଷ । ପୃଥିବୀ ପୃଷ୍ଠରେ କିଛି ସମୟ ଅତିବାହିତ କରି ଫେରିଯାନ୍ତି ସେମାନଙ୍କ ରାଇଜକୁ ।
ଆମ ଯାହାକୁ ବିଚିତ୍ର ମଣିଷ ବୋଲି ଧରିନେଇଛୁ । ସେମାନେ ରହୁଛନ୍ତି କୋଉଠି? ଖାଉଚନ୍ତି କ’ଣ? ସେହି ବିଷୟ ଆମ ମନକୁ ବାରମ୍ବାର ଆନ୍ଦୋଳିତ କରୁଛି।
ସବୁଠାରୁ ବଡ଼ କଥା ହେଉଛି, ବହଳ ଅନ୍ଧକାର ରାତିରେ ଆକାଶରେ ହଜାର ହଜାର ଗ୍ରହ ନକ୍ଷତ୍ର ତାରା ଆମ ଦୃଷ୍ଟିରେ ପଡୁଛନ୍ତି । ସେମାନଙ୍କ ଭିତରୁ କୌଣସିଟିରେ ଜୀବ ଜଗତ ତିଷ୍ଠି ରହିଥିବାର ପ୍ରମାଣ ମିଳିନି । ଏକା ଆମରି ସବୁଜ ପୃଥିବୀ ଜୀବଜଗତକୁ ଧାରଣ କରିପାରିଛି ।
ଆମ ପୃଥିବୀ ନିକଟରେ ଏପରି କେଉଁ ଉପାଦାନ ଭରି ରହିଛି ଯାହା ଜୀବନ ସୃଷ୍ଟି ପାଇଁ ଉପଯୁକ୍ତ । ଅନ୍ୟ ଗ୍ରହ ନକ୍ଷତ୍ରଗୁଡ଼ିକ ଅନୁପଯୁକ୍ତ । ଏପରି ନାନା ରହସ୍ୟକୁ ଉନ୍ମୋଚନ କରିବାର ଚେଷ୍ଟା ଜାରି ରଖିଛନ୍ତି ଭାରତୀୟ ବଂଶୋଦ୍ଭବ ମହାକାଶ ବିଜ୍ଞାନୀ ଡକ୍ଟର ନିକୁ ମଧୁସୂଦନ । ଡକ୍ଟର ନିକୁ ଓ ତାଙ୍କ ଟିମ୍ ବେଶ କିଛି ବର୍ଷ ଧରି ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ମହାକାଶକୁ ତନ୍ନତନ୍ନ କରି ଯାଂଚ କରିଛନ୍ତି ।
ଭାରତଠାରୁ ପ୍ରାୟ ୧୨୦ ଆଲୋକ ବର୍ଷ ଦୂରରେ ସୌରମଣ୍ଡଳ ବାହାରେ ଅବସ୍ଥାନ କରିଥିବା ନୈସର୍ଗିକ ଗ୍ରହ କେ୨୧୮ବି ଗ୍ରହରେ ବିଚିତ୍ର ପ୍ରାଣୀ ଅବସ୍ଥାନ କରୁଥିବାର ଅନୁମାନ କରାଯାଇଛି ।
ଡକ୍ଟର ନିକୁ ଏକ ସାଇନ୍ସ ଜର୍ଣ୍ଣାଲରେ କେ୨୧୮ବି ନାମକ ଗ୍ରହରେ ନୂତନ ଜୀବନ ସୃଷ୍ଟି କରିବାର ଯାବତୀୟ ଉପାଦାନ ମହଜୁଦ ଥିବା ବିଷୟ ଉଲ୍ଲେଖ କରିଛନ୍ତି।
୨୦୧୭ ମସିହାରେ ନାସା ମହାକାଶ ବିଜ୍ଞାନୀ କେ୨୧୮ବି ଗ୍ରହଟିକୁ ଠାବ କରିଥିଲେ । ସେହି ଗ୍ରହଟି ଆମ ସୌର ପରିବାର ବାହାରେ ରହିଛି । ତା’ର ଆକାର ନେପଚୁନ୍ ଗ୍ରହର ଆକାର ସହ ସମାନ । ଏକା ଡକ୍ଟର ନିକୁ ନୁହନ୍ତି, କେ୨୧୮ବି ଗ୍ରହର ପୃଷ୍ଠଦେଶରେ ବିରାଟ ସମୁଦ୍ର ରହିଥିବା କିଛି ମହାକାଶ ବିଜ୍ଞାନୀ ସ୍ୱୀକାର କରିଛନ୍ତି । ମାତ୍ର ସେହି ସମୁଦ୍ର ଜଳରେ ମିଶି ରହିଥିବା ଉପାଦାନ ନୂତନ ଜୀବନ ସୃଷ୍ଟି ନିମନ୍ତେ ଉପଯୋଗୀ କୌଣସି ମହାକାଶ ବିଜ୍ଞାନୀ ମାନିବାକୁ ନାରାଜ । ସେମାନଙ୍କ ମତରେ କେ୨୧୮ବି ଗ୍ରହଟି ଏକ ଶୀତଳ ଗ୍ରହ । ସେଠାକାର ବାୟୁମଣ୍ଡଳ କେବେ ଅଶାନ୍ତ ହୋଇନାହିଁ ।
ଡକ୍ଟର ନିକୁ ବଳିଷ୍ଠ ଯୁକ୍ତି କରି କହିଛନ୍ତି, ପୃଥିବୀ ପୃଷ୍ଠରେ ଯେଉଁଭଳି ଉଷ୍ମ ସାଗର ମହଜୁଦ ରହିଛି । କେ୨୧୮ବି ଗ୍ରହଟିର ପୃଷ୍ଠ ଦେଶରେ ମଧ୍ୟ ଉଷ୍ମ ସାଗର ରହିଛି । ସେହି ସମୁଦ୍ରରେ ପ୍ରଚୁର ପରିମାଣର ଉଦଜାନ, ମିଥେନ ଓ କାର୍ବନ ଡାଇ ଅକ୍ସାଇଡ୍ ରହିଛି ।
୧୯୮୦ ମସିହାରେ ଜନ୍ମିତ ଡକ୍ଟର ନିକୁ ବାରାଣସୀସ୍ଥିତ ଆଇଆଇଟିରୁ ଉଚ୍ଚଶିକ୍ଷା ଲାଭ କରିବା ପରେ ଆମେରିକାର ମାସାଚୁସେଟସ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିକୁ ଚାଲିଗଲେ ଉଚ୍ଚତର ଶିକ୍ଷା ପାଇଁ । ସେଠାରେ ମହାକାଶ ମଣ୍ଡଳ ଉପରେ ଗବେଷଣାରତ ବିଶିଷ୍ଟ ମହାକାଶ ବିଜ୍ଞାନୀ ଡକ୍ଟର ସାରାଙ୍କ ସହିତ ତାଙ୍କର ଭେଟ ହେଲା । ଡକ୍ଟର ସାରା କେମ୍ବ୍ରିଜ ବିଶ୍ୱ ବିଦ୍ୟାଳୟର ପ୍ରଫେସର ।
ଆଜି ଡକ୍ଟର ନିକୁ କେ୨୧୮ବି ଗ୍ରହରେ ବିଚିତ୍ର ମଣିଷମାନେ ବସବାସ କରୁଥିବା ପ୍ରସଙ୍ଗ ଉଠାଇଛନ୍ତି । ଆଗାମୀ ବଂଶଧର ତାଙ୍କର ମନ୍ତବ୍ୟକୁ ପ୍ରମାଣ କରିବା ପାଇଁ ଆଗେଇ ଆସିବେ ନିଶ୍ଚିତ । ଏଇତ ବିଜ୍ଞାନର କୁହୁକ ଖେଳ ।
ଏମିତି କିଛି ରହସ୍ୟ ରୋମାଂଚଭରା ଖବର ଶୁଣିବାକୁ ଚାହୁଁଥିଲେ ଆମ ନ୍ୟୁଜ ଚାନେଲକୁ ସବ୍ ସ୍କ୍ରାଇବ୍ କରନ୍ତୁ । ଲାଇକ୍ କରନ୍ତୁ । କମେଂଟ କରନ୍ତୁ । ନମସ୍କାର ।