ପ୍ରଧାନମନ୍ତ୍ରୀ ପକୋଡ଼ା ଛାଣିବା ଜ୍ଞାନ ବାଣ୍ଟୁଛନ୍ତ : ରାହୁଲ

କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ କଂଗ୍ରେସ ବିରୋଧ କରି ସତ୍ୟାଗ୍ରହ….

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ କଂଗ୍ରେସ ବିରୋଧ କରି ସତ୍ୟାଗ୍ରହ ଆରମ୍ଭ କରିଛି । ଦଳ ପକ୍ଷରୁ ଦିଲ୍ଲୀର ଜନ୍ତର ମନ୍ତର ଠାରେ ସତ୍ୟାଗ୍ରହ କରାଯାଉଛି । ଏଥିରେ ଦଳର ଅନେକ ବରିଷ୍ଠ ନେତା ଯୋଗ ଦେଇଥିବାର ପରିଲକ୍ଷିତ ହୋଇଛି । ସେହିପରି ଭାବରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଟ୍ୱିଟରରେ ଏକ ପୋଷ୍ଟ କରି ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି । ରାହୁଲ ଲେଖିଛନ୍ତି ଯେ କେନ୍ଦ୍ର ସରକାର ବାରମ୍ବାର ନିଯୁକ୍ତି ଦେବା ନାମରେ ଦେଶରେ ବେରୋଜଗାରଙ୍କୁ ପ୍ରତାରିତ କରୁଛନ୍ତି । ମୋଦି ସରକାର ଦେଶର ବେରୋଜଗାର ଯୁବକଙ୍କୁ ଅଗ୍ନିପଥ ଉପରେ ଚାଲିବାକୁ ବାଧ୍ୟ କରୁଛନ୍ତି । ଏହାସହ ସେ କହିଛନ୍ତି ମୋଦି ସରକାର ଶାସନର ୮ ବର୍ଷ ମଧ୍ୟରେ ୧୬ କୋଟି ଚାକିରି ମିଳିବା କଥା, କିନ୍ତୁ ସେ କେବଳ ଯୁବକମାନଙ୍କୁ ‘ପକୋଡା ଛାଣିବା’ ପାଇଁ ଜ୍ଞାନ ବାଣ୍ଟୁଛନ୍ତି । ଦେଶର ଏଭଳି ପରିସ୍ଥିତି ପାଇଁ କେବଳ ପ୍ରଧାନମନ୍ତ୍ରୀ ଦାୟୀ ବୋଲି କଂଗ୍ରେସ ୟାଇନାଡ ସାଂସଦ ରାହୁଲ ଗାନ୍ଧି କହିଛନ୍ତି ।