କାଣ୍ଡଲା ବନ୍ଦର ନିକଟବର୍ତ୍ତୀ ଟୁନା ଟେକ୍ରାରେ ବହୁମୁଖୀ ପଣ୍ୟବର୍ଥ ନିର୍ମାଣ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ଗୁଜରାଟର କାଣ୍ଡଲା ବନ୍ଦର ନିକଟବର୍ତ୍ତୀ ଟୁନା ଟେକ୍ରାଠାରେ କଚ୍ଛ ଉପସାଗର କୂଳରେ ଏକ ବହୁମୁଖୀ ପଣ୍ୟ ବର୍ଥ (ଅଣ କଣ୍ଟେନର/ ତରଳ ସାମଗ୍ରୀ) ନିର୍ମାଣ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଆଜି ଅନୁମୋଦନ କରିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଏଠାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ବହୁମୁଖୀ ପଣ୍ୟ ବର୍ଥ ନିର୍ମାଣ ସମ୍ପର୍କରେ ଆଲୋଚନା ହେବା ପରେ ଏହାକୁ ଅନୁମୋଦନ କରାଯାଇଛି । ନୂଆ କରି ନିର୍ମିତ ହେବାକୁ ଏହି ପଣ୍ୟ ବର୍ଥରେ କଣ୍ଟେନର ଓ ତରଳ ସାମଗ୍ରୀ ସେବାକୁ ଛାଡି ଅନ୍ୟ ସବୁ ସାମଗ୍ରୀର ବୋଝେଇ ଖଲାସ ସୁବିଧା ଉପଲବ୍ଧ ହେବ ନାହିଁ । ଏହି ବିଲ୍ଡ, ଅପରେଟ ଓ ଟ୍ରାନ୍ସଫର (ବିଓଟି) ସୂତ୍ରରେ ନିର୍ମିତ ହେବ ଏବଂ ଏଥିରେ ସରକାରୀ-ଘରୋଇ ସହଭାଗିତା ରହିବ ।

ଏହି ବର୍ଥ ନିର୍ମାଣ ପାଇଁ ଆବଶ୍ୟକ ଡ୍ରେଜିଂ ଓ ଚାନେଲ ଖନନ କରାଯିବ । ଏହାଛଡା ସର୍ବସାଧାରଣଙ୍କ ବ୍ୟବହାର ପାଇଁ ରାସ୍ତା ନିର୍ମାଣ ଓ ଅନ୍ୟାନ୍ୟ ମୌଳିକ ଭିତ୍ତିଭୂମି ସୁବିଧା ଏହି ବର୍ଥ ନିମନ୍ତେ ଉପଲବ୍ଧ ହେବ । ଡ୍ରୋଜିଂ, ଚାନେଲ ଖନନ, ସଡକ ନିର୍ମାଣ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇ ଦେବାକୁ କାଣ୍ଡଲା (ଦୀନଦୟାଲ) ବନ୍ଦର କର୍ତ୍ତୃପକ୍ଷ ୫୩୧ କୋଟି ୪୨ ଲକ୍ଷ ଟଙ୍କା ଯୋଗାଇ ଦେବେ ।

ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ କାଣ୍ଡଲା ବନ୍ଦରର ଭବିଷ୍ୟତର କାର୍ଯ୍ୟ ଚାପ ହ୍ରାସ ପାଇବ ଏବଂ ଅଣ ଲିକ୍ୟୁଡି ଓ ଅଣ କଣ୍ଟେନର ପଣ୍ୟ କାରବାର ସୁବିଧା ବଢିବ । ଏହି ବର୍ଥଟି କଚ୍ଛ ଉପସାଗରର  ଉତ୍ତର – ପୂର୍ବ ଦିଗରେ କାଣ୍ଡଲା ବନ୍ଦର ପୂର୍ବ ପଟକୁ ନିର୍ମିତ ହେବାକୁ ଥିବାରୁ ଏହା ଦେଶର ଉତ୍ତରାଞ୍ଚଳ, ବିଶେଷକରି ଜାମ୍ମୁ-କାଶ୍ମୀର, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଓ ରାଜସ୍ଥାନର ସାମୁଦ୍ରିକ ରପ୍ତାନୀ-ଆମଦାନୀ କାରବାର ପାଇଁ ବିଶେଷ ସହାୟକ ହେବ । ଏହା ସହିତ ଏହି ବର୍ଥ କାଣ୍ଡଲା ବନ୍ଦରର ବ୍ୟାବସାୟିକ ଲକ୍ଷଣ/ଦକ୍ଷତା ବଢାଇବ   ଏବଂ ନୂତନ ନିଯୁକ୍ତି ସୃଷ୍ଟି କରିବ । ସର୍ବୋପରି ଦେଶ ଅର୍ଥନୀତିକ ବିକାଶ ପ୍ରକ୍ରିୟାରେ ଏହାର ଉତ୍ତମ ଯୋଗଦାନ ରହିବ ।

ବଚ୍ଛା ବଚ୍ଛା କେତେକ ନିର୍ଦ୍ଦିଷ୍ଟ କନ୍‌ସେନାୟର (ଅଧିକୃତ ସଂସ୍ଥା)ଙ୍କ ଦ୍ୱାରା ଏହି ବର୍ଥ ନିର୍ମାଣ କରାଯିବ । ତେବେ ଦୀନଦୟାଲ ବନ୍ଦର କର୍ତ୍ତୃପକ୍ଷ ଏଥିପାଇଁ ସାଧାରଣ ବ୍ୟବହାରକାରୀ ସୁବିଧା ସୁଯୋଗ ବିକାଶ କାମ କରିବ ।

ନୁଆ ବର୍ଥରେ ଏକ ସମୟରେ ଚାରିଟି ବଡ ଜାହାଜ ମାଲ ବୋଝେଇ ଖଲାସ କରିପାରିବେ ଏବଂ ସେଥିପାଇଁ ସବୁ ଆନୁଷଙ୍ଗିକ ସୁବିଧା ଉପଲବ୍ଧ ହେବ । ଏହି ବହୁମୁଖୀ ବର୍ଥ ନିର୍ମାଣ ପାଇଁ ମୋଟ ୧,୭୧୯କୋଟି ୨୨ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏହାର ବାର୍ଷିକ ମାଲ ବୋଝେଇ ଖଲାସ କ୍ଷମତା ହେବ ୧୮.୩୩ ନିୟୁତ ଟନ୍  ।

ପ୍ରାରମ୍ଭିକ ଭାବେ ଏହି ବର୍ଥକୁ ଏକ ଲକ୍ଷ ଟନ୍ ଓଜନ ବିଶିଷ୍ଟ  ୧୫ଏମ୍ ଡ୍ରଟ୍ ଜାହାଜ ଆସିପାରିବ । ଏଥି ପାଇଁ ଚାନେଲର ଡ୍ରେଜିଂ  ଓ ରକ୍ଷଣାବେକ୍ଷଣ କାର୍ଯ୍ୟ କଣ୍ଡଲା ବନ୍ଦର କରିବ । ରିହାତି ସମୟ ମଧ୍ୟରେ କାଣ୍ଡଲା ବନ୍ଦ କର୍ତ୍ତୃପକ୍ଷ ଚାହିଁଲେ ଚାନେଲକୁ ଅଧିକ ଗଭୀର ଓ ଚଉଡା କରି ୧୮ଏମ୍ ଡ୍ରଟ୍ ଜାହାଜକୁ ଏହି ବର୍ଥକୁ ନେଇ ପାରିବେ ।

ପଶ୍ଚିମ ଉପକୂଳସ୍ଥିତ ଗୁଜରାଟର କଚ୍ଛ ଜିଲ୍ଲାରେ ଥିବା କାଣ୍ଡଲା ବନ୍ଦର ଦେଶର ଅନ୍ୟତମ ପ୍ରମୁଖ ବନ୍ଦରଗୁଡିକ ମଧ୍ୟରୁ ଗୋଟିଏ । ଏହାର ନାମ ଏବେ ସରକାରୀ ଭାବେ “ଦୀନ ଦୟାଲ” ବନ୍ଦର କରାଯାଇଛି । ଏହି ପ୍ରମୁଖ (ମେଜର) ବନ୍ଦରଟି ମୁଖ୍ୟତଃ ଦେଶର ଉତ୍ତରାଞ୍ଚଳ ରାଜ୍ୟଗୁଡିକର ସାମୁଦ୍ରିକ ବାଣିଜ୍ୟକ କାରବାର ଆବଶ୍ୟକତା ପୂରଣ କରିଥାଏ । ଭୂମି ପରିବେଷ୍ଟିତ ଜାମ୍ମୁ-କାଶ୍ମୀର, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ପଞ୍ଜାବ, ରାଜସ୍ଥାନ ଓ ହରିୟାଣା ଆଦି ରାଜ୍ୟ ଏହି ବନ୍ଦର ଉପରେ ଅଧିକ ନିର୍ଭର କରିଥାନ୍ତି ।