ଆଜିଠୁ ପ୍ରଧାନମନ୍ତ୍ରୀଙ୍କ ତ୍ରିରାଷ୍ଟ୍ର ଗସ୍ତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଠାରୁ ତ୍ରିରାଷ୍ଟ୍ର ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ପ୍ରଥମେ ଜାପାନ ଗସ୍ତ କରିବେ ପରେ ପପୁଆ ନିୟୁ ଗୁଏନା ଓ ଶେଷରେ ଅଷ୍ଟ୍ରେଲିଆ ଯାତ୍ରା କରିବେ। ଏହି ତ୍ରିରାଷ୍ଟ୍ରୀୟ ଗସ୍ତ କାଳରେ ମୋଦୀ ପ୍ରାୟ ୪୦ଟି ବୈଠକରେ ଯୋଗ ଦେବା ସହ ବିଭିନ୍ନ ରାଷ୍ଟ୍ରନେତାଙ୍କୁ ସାକ୍ଷାତ କରିବେ। ଜାପାନର ହିରୋସୀମାରେ ଆୟୋଜିତ ଜି-୭ ବୈଠକରେ ଅତିଥି ଭାବେ ଯୋଗ ଦେବେ। ଏହି ଜି-୭ ବୈଠକ କାଳରେ କ୍ବାଡ ରାଷ୍ଟ୍ରଗୋଷ୍ଠୀର ସୁରକ୍ଷା ବୈଠକ ହେବାର ସମ୍ଭାବନା ରହିଛି। ପପୁଆ ନିୟୁ ଗୁଏନାରେ ମୋଦୀ ଭାରତ-ପ୍ରଶାନ୍ତ ମହାସାଗରୀୟ ଦ୍ବୀପ ରାଷ୍ଟ୍ରର ମୁଖ୍ୟଙ୍କ ବୈଠକରେ ଯୋଗ ଦେବେ। ଶେଷରେ ଅଷ୍ଟ୍ରେଲିଆର ସିଡନୀରେ ମୋଦୀ-ଆନ୍ଥୋନୀ ଆଲବାନିଜଙ୍କ ସହିତ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ। ମେ ୨୩ରେ ମୋଦୀ ସିଡନୀରେ ଭାରତୀୟ ସମୁଦାୟ ଓ ଅଷ୍ଟ୍ରେଲିଆର ବ୍ୟବସାୟୀଙ୍କୁ ସମ୍ବୋଧନ କରିବେ।