ୟୁକ୍ରେନର ୧୮ ଭାଗ ରୁଷିଆରେ ମିଶାଇଲେ ପୁତିନ୍‌

ୟୁକ୍ରେନର ଚାରିଟି ରାଜ୍ୟ ସ୍ୱେଚ୍ଛାରେ ରୁଷିଆ ସହିତ ମିଶି ଜଣାଇଦେବାକୁ ଚାହାନ୍ତି ଯେ ସେମାନଙ୍କୁ ରୋକିବା କଷ୍ଟକର…..

ମସ୍କୋ: ୟୁକ୍ରେନର ଚାରିଟି ରାଜ୍ୟକୁ ରୁଷିଆରେ ମିଶାଇଛନ୍ତି ରାଷ୍ଟ୍ରପତି ପୁତିନ୍‌ । ୟୁକ୍ରେନର ୧୮ ଭାଗ ରୁଷିଆ ହାତକୁ ଚାଲିଯିବା ଫଳରେ ଚିନ୍ତାରେ ପଡ଼ିଯାଇଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି । ତାଜା ସୂଚନା ମୁତାବକ ରୁଷ ରାଷ୍ଟ୍ରପତି ଭ୍ଲାଡିମୀର ପୁତିନ ୟୁକ୍ରେନର ଚାରିଟି ରାଜ୍ୟ ଡୋନେଟ୍‌ସ୍କ, ଲୁହାନ୍‌ସ୍କ, ଖେରସାନ୍‌ ଓ ଜପୋରିଜିୟାର ନିର୍ବାଚିତ ପ୍ରତିନିଧିଙ୍କୁ ଏକ ସମାରୋହକୁ ଡକାଇ ବୁଝାମଣା ପତ୍ର ଦସ୍ତାବିଜରେ ଦସ୍ତଖତ କରିଛନ୍ତି ।

ବୁଝାମଣା ପତ୍ରରେ ଦସ୍ତଖତ କରିବା ପରେ ପୁତିନ୍‌ ଗଣମାଧ୍ୟମକୁ କହିଛନ୍ତି, ରୁଷିଆର କୋଟିକୋଟି ଜନତାଙ୍କର ସ୍ୱପ୍ନକୁ ସାକାର କରାଯାଇଛି । ୟୁକ୍ରେନର ଚାରିଟି ରାଜ୍ୟ ଭାବେ ପରିଚିତ ଡୋନେଟ୍‌ସ୍କ, ଲୁହାନ୍‌ସ୍କ, ଖେରସାନ୍‌ ଓ ଜପୋଜିରିୟାର ଜନତା ରୁଷିଆର ଅଂଶବିଶେଷ ହୋଇ ରହିବାକୁ ଚାହୁଁଥିଲେ ଯାହା ଆଜି ସଫଳ ହୋଇଛି । ଆମେରିକା ଓ ପଶ୍ଚିମ ରାଷ୍ଟ୍ରଗୁଡ଼ିକୁ ରୁଷିଆର ଶତ୍ରୁ ଦର୍ଶାଇ ପୁତିନ୍‌ କହିଛନ୍ତି ଯେ ଆମେରିକା ଓ ତା’ର ସମର୍ଥକ ଦେଶଗୁଡ଼ିକ ରୁଷିଆକୁ ଧୂଳିସାତ୍‌ କରି ଗୋଲାମ କରିବାକୁ ଚାହୁଁଛନ୍ତି ।

ଆମେରିକା ଏକମାତ୍ର ଶକ୍ତିଶାଳୀ ରାଷ୍ଟ୍ର ଯେ ପରମାଣୁ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଛି । ଆଜିଠାରୁ ଡୋନେଟ୍‌ସ୍କ, ଲୁହାନ୍‌ସ୍କ, ଖେରସାନ୍‌ ଓ ଜପୋରିଜିୟା ଜନତା ରୁଷିଆର ନାଗରିକ ଭାବେ ପରିଚିତ ହେବେ ।
ୟୁକ୍ରେନ୍‌ ଏତେ ସମୟ ଧରି ଯୁଦ୍ଧ କରିବା ପଛରେ ଆମେରିକା ଓ ପଶ୍ଚିମ ଦେଶଗୁଡ଼ିକର ଅସ୍ତ୍ରଶସ୍ତ୍ର ସାହାଯ୍ୟ ଓ ଆର୍ଥିକ ସହଯୋଗକୁ ଦାୟୀ କରିଛନ୍ତି ପୁତିନ୍‌ । ୟୁକ୍ରେନର ଚାରିଟି ରାଜ୍ୟ ସ୍ୱେଚ୍ଛାରେ ରୁଷିଆ ସହିତ ମିଶି ଜଣାଇଦେବାକୁ ଚାହାନ୍ତି ଯେ ସେମାନଙ୍କୁ ରୋକିବା କଷ୍ଟକର ।